କୌଣସି ପରିସ୍ଥିତି ଏବଂ ପରିବେଶ ଅନେକ ମଣିଷକୁ ଭୁଲ ବାଟରେ ନେଇଯାଇପାରେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପାଠ ପଢ଼ି ଜ୍ଞାନ ଆହରଣ କରି ମୁଖ୍ୟ ସ୍ରୋତକୁ ଆସିପାରନ୍ତି। ଏଭଳି ଆଶା ଟିକକ ନେଇ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ସୁବିଧା ଯୋଗାଇ ଦିଆଯାଇଛି।
ଗତ ତିନିବର୍ଷ ଧରି ଏହି କଏଦୀମାନେ କାରାଗାରରେ ରହି ପରୀକ୍ଷା ଦେଇ ଆସୁଛନ୍ତି। ପରୀକ୍ଷା ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜେଲରୁ ବାହାରକୁ ଯାଇ ସେମାନେ ଆଗାମୀ ଦିନରେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ବୋଲି ଆଶା ରଖିଛନ୍ତି।
ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ପଢାବହି ଯୋଗାଇ ଦିଆଯାଉଛି। ବିଗତ ଥରର ପରୀକ୍ଷା ରେକର୍ଡକୁ ଦେଖିଲେ କଏଦୀମାନେ ଭଲ ନମ୍ବର ରଖି ପାସ୍ କରୁଛନ୍ତି। ପରୀକ୍ଷା ପୂର୍ବରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ଯାଉଛି। ଯାହା ଦ୍ୱାରା ଆଗାମୀ ଦିନରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲର ଶିକ୍ଷକ ୱାଜିଦ ଅଲି କହିଛନ୍ତି।
ଏ ନେଇ କାଙ୍କେର ଜିଲ୍ଲା ଜେଲ୍ ଅଧୀକ୍ଷକ ପି ରେଣୁ ଧ୍ରୁବ କହିଛନ୍ତି ଯେ ନକ୍ସଲମାନେ ଜଙ୍ଗଲରେ ଜୀବନ ବିତାଇଥାନ୍ତି ଏବଂ ଶିକ୍ଷା ସହିତ ସେମାନଙ୍କର ବହୁତ କମ୍ ସମ୍ପର୍କ ଥାଏ l ତେଣୁ ଜେଲକୁ ଆସିବା ପରେ ସେମାନଙ୍କୁ ଅତି କମରେ ସାକ୍ଷର କରିବା ପାଇଁ ପ୍ରୟାସ କରାଯାଉଛି। ଯାହାଦ୍ବାରା ସମାଜ ସମ୍ବନ୍ଧରେ ଜ୍ଞାନ ହାସଲ କରି ପାରିବେ।



