TT Ads

ସନ୍ଥ ଜଲାଲୁଦ୍ଦିନ ନିଜର ଶିଷ୍ୟମାନଙ୍କୁ ନେଇ ଯେଉଁ ରାଜ୍ୟରେ ରହୁଥିଲେ ସେହି ରାଜ୍ୟର ରାଜା ଥିଲେ ସ୍ୱେଚ୍ଛାଚାରୀ। ସେ ନିରୀହ ପ୍ରଜାଙ୍କୁ ପୀଡ଼ା ଦେଉଥିଲେ। ସମସ୍ତେ ତାଙ୍କୁ ଘୃଣା କରୁଥିଲେ

ଦିନେ ଜଲାଲୁଦ୍ଦିନ ତାଙ୍କର ଶିଷ୍ୟମାନଙ୍କଠାରୁ ଜାଣିଲେ ଯେ, ବିଦ୍ରୋହୀମାନେ ରାଜାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି। ଆଜି ରାତିରେ ତାଙ୍କୁ ତାଙ୍କର ଉପପତ୍ନୀଙ୍କ ଦ୍ୱାରା ବିଷ ପିଆଇ ହତ୍ୟା କରାଯିବ। ଏକଥା ଶୁଣି ଜଲାଲୁଦ୍ଦିନ ଶାନ୍ତ ହୋଇ ବସିପାରିଲେ ନାହିଁ। ଶିଷ୍ୟମାନେ ନଥିବା ବେଳେ ସେ ରାଜାଙ୍କ ପାଖକୁ ଗଲେ ଆଉ କହିଲେ: ରାଜା! ଆଜି ରାତିରେ ଆପଣ ଆପଣଙ୍କ ଉପପତ୍ନୀଙ୍କ ହାତରୁ କିଛି ଖାଇବେନି କି ପିଇବେନି । ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି । ଏତିକି କହି ଫେରିଆସିଲେ । ରାତି ପାହି ସକାଳ ହେଲା । ଦେଖାଗଲା, ରାଜା ଜଲାଲୁଦ୍ଦିନଙ୍କୁ ଆସି ତାଙ୍କ ଜୀବନ ବଞ୍ଚାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି।

ଶିଷ୍ୟମାନେ ଏକଥା ଜାଣି ଖପ୍ପା ହୋଇଗଲେ ଓ ଜଲାଲୁଦ୍ଦିନଙ୍କୁ ଏପରି କାହିଁକି କଲେ ବୋଲି ପଚାରିଲେ । ଜଲାଲୁଦ୍ଦିନ କହିଲେ: ଜଣକୁ ଦଣ୍ଡ ଦେବା ବଡ଼କଥା ନୁହେଁ; ଜଣକୁ ଭଲ ମଣିଷ ହେବା ଲାଗି ଆଉଥରେ ସୁଯୋଗ ଦେବା ହେଉଛି ବଡ଼କଥା । ରାଜା ସିନା ଅଜ୍ଞାନୀ – ସେ ଅନ୍ୟର ଅମଙ୍ଗଳ କରୁଛନ୍ତି । ଆମେ ଯଦି ସେଇଆ କରିବା ତା’ହେଲେ ରାଜା ଆଉ ଆମ ଭିତରେ କ’ଣ ଫରକ ରହିବ!

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *