ମଣ୍ଡିକୁ ପଚାଧାନ ନ ଆଣିବାକୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୧୨/୧(ଓଡ଼ିଶା ଜାଗରଣ): ମଣ୍ଡିକୁ ନଷ୍ଟ ଧାନ ଆଣନ୍ତୁନି। ଭଲ ଧାନ ଆଣନ୍ତୁ ଆଉ ସେ ବାବଦରେ ଭଲ ପଇସା ନିଅନ୍ତୁ। ନଷ୍ଟ ଧାନ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଅର୍ଥ ଦେଇଛନ୍ତି। ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ ଆହୁରି କହିଛନ୍ତି ଯେ, ଏଫ୍ଏକ୍ୟୁ ମାନରେ କୌଣସି ପରିସ୍ଥିତିରେ କୋହଳ କରାଯିବ ନାହିଁ। ଏମିତି କି କଟନୀଛଟନି ହେଉଥିଲେ ମିଲରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆବଶ୍ୟକସ୍ଥଳେ ମିଲଗୁଡ଼ିକୁ ସିଲ୍ କରାଯାଉଛି। ତେଣୁ ଚାଷୀମାନେ ନଷ୍ଟ ଧାନ ନ ଆଣି ଭଲ ଧାନ ମଣ୍ଡିରେ ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ। ପ୍ରକାଶ ଥାଉ କି ଡିସେମ୍ବର ଶେଷ ଆଡ଼କୁ ରାଜ୍ୟରେ ଦେଖାଦେଇଥିବା ଅଦିନିଆ ବର୍ଷରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଅନେକ ଚାଷୀ ଧାନ ଅମଳ କରି ଖଳା ଏବଂ ମଣ୍ଡି ପର୍ଯ୍ୟନ୍ତ ଆଣିଥିଲେ ମଧ୍ୟ ବର୍ଷାରେ ତାହା ନଷ୍ଟ ହୋଇଯାଇଥିଲା। ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରେ ଜମିରେ ଫସଲ ନଷ୍ଟ ହୋଇଯାଇଥିଲା। ଗଞ୍ଜାମ ଓ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏପର୍ଯ୍ୟନ୍ତ ୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।



