କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟି ବର୍ଷକୁ ଯାଉଛି ୮୦ରୁ ଅଧିକ ଓଡ଼ିଆଙ୍କ ଜୀବନ
ଭୁବନେଶ୍ୱର, ୧୨/୧(ରାଜେନ୍ଦ୍ର ରାହୁଲ): ଶୀତଦିନେ କୁହୁଡି ହେବା ସ୍ବାଭାବିକ। କିନ୍ତୁ କୁହୁଡି ପାଇଁ ସତର୍କ ନ ରହିଲେ ଏହା ଆପଣ ଜୀବନ ପ୍ରତି ବିପଦ ସଜିପାରେ। ଏକ ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତ୍ୟେକ ବର୍ଷ କୁହୁଡ଼ି ପାଇଁ ୮୦ ରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ଅଧିକାଂଶ ଚାରିଚକିଆ ଯାନ ଦୁର୍ଘଟଣାଗ୍ରସ୍ତ ହେଉଛି। ବିଶେଷକରି ବସ୍, ମିନି ବସ୍ ଭଳି ଯାତ୍ରୀବାହୀ ଯାନଚାଳକ କୁହୁଡ଼ିରେ ସମ୍ମୁଖୀନ ହୋଇ ଗାଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଅକାଳରେ ଚାଲି ଯାଉଛି ଅନେକଙ୍କ ଜୀବନ। ଗତ ଦୁଇଦିନ ତଳେ ନୂଆପଡ଼ା ଜିଲ୍ଲା ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ଏକ ବସ୍ ରାସ୍ତା ଦେଖି ନ ପାରି ତେଲେଙ୍ଗାନାରେ ଏକ ଟ୍ରକକୁ ପଛରୁ ପିଟି ଦେଇଥିଲା। ଏଥିରେ ୪ ଜଣଙ୍କ ଜୀବନ ଚାଲି ଯାଇଥିଲା। ସେହିଭଳି ଆଜି ଜୟପୁରରୁ ଏକ ବସରେ ଶ୍ରମିକଙ୍କୁ ନେଇ ଯାଉଥିବା ଅନ୍ୟ ଏକ ବସ୍ ଆଜି ସକାଳେ ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଅନେକ ଆହତ ହୋଇଛନ୍ତି।
ଅପରପକ୍ଷେ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୪ ତାରିଖ ଅର୍ଥାତ୍ ମଙ୍ଗଳବାର ପର୍ଯ୍ୟନ୍ତ ଓଡ଼ିଶାର ସୁନ୍ଦରଗଡ଼, କେଉଁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କୋରାପୁଟ ଆଦି ୧୦ ଜିଲ୍ଲାରେ ଘନକୁହୁଡ଼ି ହେବାର ପୂର୍ବସୂଚନା ଦିଆ ଯାଇଛି। ଯାହା ଆଗକୁ ଦୁର୍ଘଟଣା ଘଟାଇବାର ଆଶଙ୍କାକୁ ବଢାଇ ଦେଇଛି। ତେବେ ୧୪ ପରେ ପୂର୍ବବତ ଶୀତ ଜାରି ରହିବ। ଏହା ପରେ ପୁଣି ଥରେ କୁହୁଡି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।



