ଭୁବନେଶ୍ୱର (ଓଡ଼ିଶା ଜାଗରଣ): ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଲାଗିପଡିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର। କିନ୍ତୁ କେଉଁଠି ତ୍ରୁଟି ରହୁଛି ସେ ନେଇ କିଛି ବାଟ ଘାଟ ପାଉନାହାନ୍ତି। ଏମିତିକି ପ୍ରଥମେ ଶ୍ରୀମନ୍ଦିର ଚରିଦ୍ୱାର ଖୋଲିବାକୁ କହି କ୍ଷମତାକୁ ଆସିବାକୁ ଚେଷ୍ଟା କରିଥିବା ବିଜେପି ସରକାର ପ୍ରଥମେ ଚରିଦ୍ଵାର ଖୋଲି ଯେଉଁ ଅଡ଼ୁଆ ପରିସ୍ଥିତିରେ ପଡିଲେ ପରେ ବ୍ୟକଗିୟର ପକେଇଲେ। ଅର୍ଥାତ୍ ଚାରିଦ୍ୱାର ଖୋଲିବାର ଅଳ୍ପ ଦିନ ପରେ ବ୍ୟବସ୍ଥା ବଦଳାଇଲେ। ୬ ମାସରୁ ଊର୍ଦ୍ଧ୍ବ ହେବ କସରତ ଚାଲିଛି। ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ପୁଣି ଦ୍ୱନ୍ଦ୍ୱରେ ପଡିଛନ୍ତି। ଦର୍ଶନ ବ୍ୟବସ୍ଥାକୁ ନେଇ ଆଇନ ମନ୍ତ୍ରୀ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଥାରେ ଏକ ପ୍ରକାର ତାଳମେଳ ରହୁନାହିଁ। ଯାହାକୁ ନେଇ ଭକ୍ତ ଦ୍ୱନ୍ଦ୍ୱରେ। ନିକଟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଥିଲେ ଯେ, ଡିସେମ୍ବର ୨୮ କିମ୍ବା ୨୯ ତାରିଖରେ ଶ୍ରୀମନ୍ଦିରରେ ଧାଡି ଦର୍ଶନର ଟ୍ରାଏଲ ରନ୍ କରାଯିବ। ହେଲେ ଚଳିତ ମାସରେ ଧାଡି ଦର୍ଶନ ଟ୍ରାଏଲ ରନ୍ ହେବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଅପରପକ୍ଷେ ଶ୍ରୀମନ୍ଦିରରେ ଦର୍ଶନ ବିଶୃଙ୍ଖଳା କ୍ରମେ ବଢିବାରେ ଚାଲିଛି। ଏବେ ଚାରିଦ୍ୱାରରେ ପ୍ରବେଶ ଅନୁମତି ମିଳିଥିବା ବେଳେ ପୂର୍ବାପେକ୍ଷା ଭକ୍ତଙ୍କ ସଂଖ୍ୟା ମଧ୍ୟ ଢେର୍ ବଢିଯାଇଛି। ହେଲେ ସାତପାହାଚ ଗୋଟିଏ ଦ୍ୱାରରେ ହିଁ ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ। ସାଧାରଣ ଦିନରେ ତ ଯାହା ଯେମିତି ଚଳିଯାଉଛି ହେଲେ ଛୁଟିଦିନ ଏବଂ ବିଶେଷ ପର୍ବପର୍ବାଣି ଦିନମାନଙ୍କରେ ଭିଡ଼ ଅସମ୍ଭାଳ ହୋଇପଡୁଛି। ବିଶେଷକରି ବରିଷ୍ଠ ନାଗରିକ, ମହିଳାମାନେ ଅଧିକ ହନ୍ତସନ୍ତ ହୋଇପଡୁଛନ୍ତି। ଦିନେ ଦିନେ ଭିଡ଼ ଏମିତି ହେଉଛି ଅନେକ ଭକ୍ତ ଅଣଃନିଶ୍ୱାସୀ ଏବଂ ଅଚେତ ହୋଇପଡୁଛନ୍ତି। ତେଣୁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ଲାଗି ପରିଚାଳନା କମିଟି, ଛତିଶା ନିଯୋଗ ବୈଠକରେ ଏକାଧିକଥର ଆଲୋଚନା ହୋଇଛି। ବହୁ ପ୍ରସ୍ତାବ ଏବଂ ନିର୍ଯ୍ୟାସ ବାହାରିଛି। ତଥାପି କୌଣସିରେ ସଫଳତା ମିଳିପାରି ନାହିଁ।
ଏବେ ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗି ଯୋଜନା କରାଯାଇଛି। ଏଥିରେ କାଠର ର୍ୟାମ୍ପ ପକାଯିବ ବୋଲି ପ୍ରସ୍ଥାବ ରହିଛି। ହେଲେ ଏହାକୁ କେବେଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ତାହାକୁ ନେଇ ଆଇନ ମନ୍ତ୍ରୀ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଥାରେ ତାଳମେଳ ରହୁନାହିଁ।
ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନେଇ ଗତ ୨୩ ତାରିଖରେ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ପ୍ରଶାସକ ଡ. ପାଢୀ କହିଥିଲେ ଯେ, ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯାଇଛି। ପରବର୍ତ୍ତୀ ସମୟରେ ସେବା ସମ୍ପୃକ୍ତ ଅନ୍ୟ ନିଯୋଗ ସହ ଆଲୋଚନା କରାଯିବ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ଭାବେ ଅର୍ଥାତ୍ ଧାଡ଼ି ଦର୍ଶନ ବ୍ୟବସ୍ଥାର ଟ୍ରାଏଲ ରନ୍ କରିବାକୁ ଲକ୍ଷ୍ୟ ରହିଛି। ଡିସେମ୍ବର ୩୧ ଓ ଜାନୁୟାରୀ ୧ ତାରିଖରେ ମନ୍ଦିରରେ ପ୍ରବଳ ଭିଡ଼ ହେବ। ତେଣୁ ଏହା ବିଧିବଦ୍ଧ ଭାବେ କେବେଠାରୁ କାର୍ଯ୍ୟକାରୀ କରାଯିବ ତାହା ଶୀଘ୍ର ଚୂଡ଼ାନ୍ତ ହେବ।
ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ୨୮ ତାରିଖରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ ରନ୍ ହେବ ନାହିଁ। ଗଙ୍ଗା ସ୍ନାନ ପଡୁଥିବାରୁ ଆସନ୍ତା ୨୦ ତାରିଖ ଯାଏ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିବ। ଏହି ଅବଧି ମଧ୍ୟରେ ଦର୍ଶନ ବ୍ୟବସ୍ଥାରେ କୌଣସି ପରୀକ୍ଷା ନିରୀକ୍ଷା କରାଯିବ ନାହିଁ। ଜାନୁୟାରୀ ୨୦ରୁ ୨୨ ତାରିଖ ମଧ୍ୟରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଠାରେ ପ୍ରଶ୍ନଉଠୁଛି ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଯଦି କିଛି ଚୂଡ଼ାନ୍ତ ହୋଇନାହିଁ ତେବେ ଏ ନେଇ ଭକ୍ତଙ୍କ ଉଦ୍ଦେଶ୍ୟରେ କ’ଣ ପାଇଁ ବିବୃତି ଦିଆଯାଉଛି। ଏହାଦ୍ୱାରା ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।
କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ନିକଟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟକୁ ନେଇ ମଧ୍ୟ ଆଇନମନ୍ତ୍ରୀ ଏବଂ ମୁଖ୍ୟ ପ୍ରଶାସକଙ୍କ କଥାରେ ତାଳମେଳ ନ ଥିଲା। ପ୍ରଥମେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ ନାହିଁ। ତେବେ ଆମେ ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ। କିଛିଦିନ ପରେ ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ଏଡାଇ ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏ ପର୍ଯ୍ୟନ୍ତ ଅଫିସିଆଲି ରିପୋର୍ଟ ହସ୍ତଗତ ହୋଇନି ବୋଲି କହିଥିଲେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ।


