ବର୍ତ୍ତମାନ ଓଡ଼ିଶାରେ ଖାଲିପଡ଼ିଛି ୬୭ଟି ଆଇଏଏସ୍ (ଭାରତୀୟ ପ୍ରଶାସନିକ ସେବା) ଏବଂ ୬୯ଟି ଆଇପିଏସ୍ (ଭାରତୀୟ ପୁଲିସ ସେବା ପଦବୀ)। ଯାହା ରାଜ୍ୟ ବିକାଶର ଅନ୍ୟତମ ପରିପନ୍ଥୀ ହୋଇପାରେ।
ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୬୯ଟି ଭାରତୀୟ ବନ ସେବା (ଆଇଏଫଏସ) ପଦବୀ, ୨୫୩ଟି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଏବଂ ଓଡ଼ିଶା ପୁଲିସ ସେବା (ଓପିଏସ) ପଦବୀ, ୨୭୪ଟି ଓଡ଼ିଶା ଅର୍ଥ ସେବା (ଓଏଫଏସ) ପଦବୀ, ୬୧୧ଟି ଓଡ଼ିଶା ବନ ସେବା (ଓଏଫଏସ) ପଦବୀ ଖାଲିପଡ଼ିଛି। ସେହିପରି ୨୬୩ଟି ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ପଦବୀ ଖାଲିପଡ଼ିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ରାଜ୍ୟରେ ପ୍ରଶାସନିକ ଖାଲି ପଦବୀର ସ୍ଥିତି ସମ୍ପର୍କରେ ଉଠାଯାଇଥିବା ଏକ ପ୍ରଶ୍ନର ଆନୁଷ୍ଠାନିକ ଉତ୍ତର ଦେଇ ଏଭଳି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ପରିସ୍ଥିତି ଓଡ଼ିଶାରେ ଶାସନ ଏବଂ ସେବା ପ୍ରଦାନର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିବା ଦ୍ୱାରା ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ମତରେ ସୁଗମ ଶାସନ ଏବଂ ସାଧାରଣ ସେବାର ପ୍ରଭାବଶାଳୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ସମୟର ଆବଶ୍ୟକତା।
ଓଡ଼ିଶାରେ ଅମଲାତାନ୍ତ୍ରିକ ଅଭାବ ସମସ୍ୟା ଦୀର୍ଘ ଦିନ ଧରି ଚିନ୍ତାର ବିଷୟ ହୋଇଆସିଛି। ନିଯୁକ୍ତି ଏବଂ ପଦୋନ୍ନତିରେ ବିଳମ୍ବ ସମସ୍ୟାକୁ ଆହୁରି ସଙ୍କଟଜନକ କରୁଛି।


