ପ୍ରସିଦ୍ଧ ବଲିଉଡ ଗାୟକ ଉଦିତ ନାରାୟଣଙ୍କ ଜଣେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ତାଙ୍କ ପୁଅ ଆଦିତ୍ୟ ନାରାୟଣ। ସେ କହିଛନ୍ତି ଯେ, ବାପା ଚୁମ୍ବନ ଦେଲେ ବୋଲି ଏବେ ବିବାଦ ହେଲା। ମୁଁ ଚୁମ୍ବନ ଦେଇଥିଲେ ଏତେ ବିବାଦ ହୋଇ ନ ଥାନ୍ତା।
ଉଦିତ ନାରାୟଣଙ୍କ କଣ୍ଠସ୍ୱର ପାଇଁ ପ୍ରଶଂସକମାନେ ପାଗଳ। ଉଦିତ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ହିଟ୍‌ ଗୀତ ଗାଇ ସାରିଛନ୍ତି। ନିଜ ସଙ୍ଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍‌ ଚଳିତ ବର୍ଷ ଫେବ୍ରୁଆରିରେ ଏକ ଲଜ୍ଜାଜନକ କାମ କରି ବିବାଦୀୟ ହୋଇଥିଲେ।
ଏକ ଲାଇଭ୍‌ କନସର୍ଟ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ ଚୁମ୍ବନ ଦେଉଥିବା ସାମ୍ନାକୁ ଆସିଥିଲା। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏବେ ତାଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଆଦିତ୍ୟ ନାରାୟଣ କହିଛନ୍ତି ଯେ, ଯେତେବେଳେ ତାଙ୍କ ପିତା ଉଦିତ ନାରାୟଣ ଏହି ଘଟଣା ପାଇଁ ବିବାଦୀୟ ହେଲେ, ସେତେବେଳେ ସେ ଲୋକଙ୍କ କ୍ରୋଧକୁ ବୁଝିପାରି ନ ଥିଲେ।
ତାଙ୍କ କହିବା ମୁତାବକ, ବାପା ଏପରି ଏକ ସମୟରୁ ଆସିଛନ୍ତି ଯେଉଁଠି ଜଣେ ପ୍ରଶଂସକ ଆପଣଙ୍କୁ ଭଲପାଇବା ଦେଲେ, ପ୍ରତିବଦଳରେ ତାଙ୍କୁ ଭଲପାଇବା ଦେବାକୁ ହୁଏ। ହେଲେ ଏବେ ସମୟ ବଦଳିଛି। ଏବେ ସେସବୁ କରିବା ପୂର୍ବରୁ ସହମତି ନେବାକୁ ପଡୁଛି, ଯାହା ତାଙ୍କୁ ଜଣାନଥିଲା।
କିନ୍ତୁ ଏହି ଘଟଣା ପରଠୁ ସେ ସହମତିର ଗୁରୁତ୍ୱ ବୁଝିସାରିଛନ୍ତି। ମୋତେ ଲାଗୁଛି ତାଙ୍କ ବୟସ ପାଇଁ ଏହି କଥାଟି ଏତେ ବଞ୍ଚିଗଲା। ଯଦି ମୁଁ କୌଣସି ୩୨ବର୍ଷୀୟ ମହିଳାଙ୍କ ସହ ଏଭଳି କରିଥାନ୍ତି, ବୋଧହୁଏ ଏତେ ବିବାଦ ହୋଇ ନ ଥାନ୍ତା ବୋଲି କହିଛନ୍ତି ଆଦିତ୍ୟ।