ସେମାନଙ୍କ ପାଇଁ ଖୁସିଖବର, ଯେଉଁମାନେ ଭିମ-ୟୁପିଆଇ କାରବାର(ପି୨ଏମ୍‌) ବ୍ୟବହାର କରୁଛନ୍ତି। ବିଶେଷକରି ଯେଉଁ ଛୋଟ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ଏହାଦ୍ୱାରା ଫାଇଦା ନେଇପାରିବେ।
କେନ୍ଦ୍ର ସରକାର ଏବେ କମ୍‌ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ କମ କାରବାର ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ବ୍ୟବସାୟୀମାନଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପି୨ଏମ) କାରବାର ପାଇଁ ପ୍ରତି କାରବାର ପାଇଁ ୦.୧୫% ପ୍ରୋତ୍ସାହନ ପ୍ରଦାନ କରାଯିବ। ସରକାରଙ୍କ ଅନୁଯାୟୀ, ଏହି ଯୋଜନାରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ ସ୍ୱଦେଶୀ ଭିମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ, ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ଭିମ-ୟୁପିଆଇରୁ ମୋଟ ୨୦୦୦୦ କୋଟି ଟଙ୍କାର କାରବାରର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଦେଶରେ ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।

ଏକ ସର୍ଭେ ରିପୋର୍ଟ୍ ଅନୁଯାୟୀ ଭାରତରେ ହେଉଥିବା ଠକେଇ ପଛରେ ବ୍ୟାଙ୍କଗୁଡ଼ିକ ଦାୟୀ। ଲୋକ ମତ ଆଧାରରେ କରାଯାଇଥିବା ସର୍ବେ ଅନୁଯାୟୀ ପ୍ରାୟ ୩୭ ପ୍ରତିଶତ ଠକେଇ ପାଇଁ ବ୍ୟାଙ୍କ୍ ଦାୟୀ ବୋଲି କୁହାଯାଉଛି।

ବିଶ୍ବର ଅନ୍ୟତମ ସଫ୍ଟୱେର ଅନାଲିଟିକାଲ କମ୍ପାନୀ ଏଫଆଇସିଓ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣା ପଡ଼ିଛି। ଏହି ସର୍ଭେ ଭାରତ ସମେତ ୧୪ ଟି ଦେଶର ୧୧୦୦୦ ବ୍ୟାଙ୍କ୍ ଗ୍ରାହକଙ୍କୁ ନେଇ କରାଯାଇଥିଲା। ଏହି ସର୍ଭେରେ ଉପଭୋକ୍ତାମାନଙ୍କୁ ବ୍ୟାଙ୍କର ପେମେଣ୍ଟ , ଠକେଇ ଓ ଠକେଇ ପରିଚାଳନା ସଂକ୍ରାନ୍ତ ପ୍ରଶ୍ନ ପଚରା ଯାଇଥିଲା। ସର୍ଭେରୁ ଜଣା ପଡ଼ିଛି ଯେ, ୫୬ ପ୍ରତିଶତ ଉପଭୋକ୍ତା ଠକେଇ ପରେ ବ୍ୟାଙ୍କରେ ଅଭିଯୋଗ କରିଥାନ୍ତି। ୩୦ ପ୍ରତିଶତ ଉପଭୋକ୍ତା ଏଥିପାଇଁ ବ୍ୟାଙ୍କ୍ ନିୟାମକ ସପକ୍ଷରେ ମତ ଦେଇଥିବା ବେଳେ ୩ ପ୍ରତିଶତ ଉପଭୋକ୍ତା ବ୍ୟାଙ୍କ୍ ପରିବର୍ତ୍ତନ କରିଥାନ୍ତି।

ପ୍ରକାଶ ଥାଉ କି ବ୍ୟାଙ୍କ୍ ଠକେଇ ଏବେ ଦେଶବାସୀଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଠିଆ ହୋଇଛି। ବିଶେଷକରି ଅନ ଲାଇନ୍ ବ୍ୟବହାର ବଢିବା ପରେ ଠକେଇ ମାତ୍ର ଦିନକୁ ଦିନ ବଢୁଥିବା ଜଣା ପଡ଼ିଛି।