ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନରେ ଛାଡ଼ିଛନ୍ତି ସତ୍ୟ କିନ୍ତୁ ସର୍ତ୍ତ ମୁତାବକ ଅଭିଯୁକ୍ତ ଏକ ମାସ ପର୍ଯ୍ୟନ୍ତ କ୍ୟାପିଟାଲ ହସପିଟାଲ ସଫେଇ କରିବା ଓ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ

ଏଥି ପାଇଁ ଆବେଦନକାରୀ ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ ଅଧୀକ୍ଷକଙ୍କ ଦ୍ବାରସ୍ଥ ହେବେ। ସଫେଇ ପାଇଁ ସୁଯୋଗ ଦେବା ପାଇଁ ଅଧସ୍ତନ କର୍ମଚାରୀଙ୍କୁ ଅଧୀକ୍ଷକ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରି‌ବାକୁ ଆବେଦନକାରୀ ଅନୁରୋଧ କରିବେ। ଏଥି ସହିତ ଡୁମୁଡୁମା ଅଞ୍ଚଳର ସରକାରୀ ଜମି/ ଗୋଷ୍ଠୀ/ ଘରୋଇ ଜମିରେ ୧ ଶହ ଆମ୍ବ, ନିମ, ତେନ୍ତୁଳି ଭଳି ଗଛ ଆଗାମୀ ‌ମୌସୁମୀରେ ଆବେଦନକାରୀ ଲଗାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରାରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଙ୍ଗରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ। ଜିଲ୍ଲା ନର୍ସରି/ଡିଏଫ୍‌ଓ ଚାରା ଯୋଗାଇବା ପ୍ରସଙ୍ଗରେ ସହଯୋଗ କରିବେ। ଆବେଦନକାରୀ ଚାରାରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ସେହିପରି ଆବେଦନକାରୀ ମାମଲାର ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଜାମିନରେ ଥିବା ବେଳେ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଆର୍‌. ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ ଜଟଣୀ ଇନ୍‌ଫୋଭ୍ୟାଲି ଥାନା ପୁଲିସ ବିଏନ୍‌ଏସ୍‌ର ଧାରା ୩୦୯(୪)/୩(୫)ରେ ମାମଲା ରୁଜୁ କରିବା ସହିତ ଆବେଦନକାରୀଙ୍କୁ ଗତ ଜାନୁଆରି ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମିନେରାଲ ୱାଟର ବୋତଲରେ ଦେଶୀମଦ