ଆପଣ କେତେ ବୟସର ବ୍ୟକ୍ତିଙ୍କୁ ଗୁରୁ କରିପାରିବେ ? କାହାକୁ ଆପଣ ଗୁରୁ ବୋଲି ସମ୍ବୋଧନ କରି ପାରିବେ ? ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରିଥାଏ। ଆସନ୍ତୁ ଜାଣିବା ଏ ନେଇ ବ୍ୟାସଦେବଙ୍କ ସମ୍ପର୍କରେ।
ବେଦର ବ୍ୟାଖ୍ୟାକାର ତଥା ମହାଭାରତର ରଚୟିତା ବ୍ୟାସ ଥରେ ନିଜର ଶିଷ୍ୟମାନଙ୍କ ସହ ଯାଉଥାନ୍ତି । ସେମାନେ ଜଙ୍ଗଲ ମାର୍ଗ ଦେଇ ଗତି କରୁଥାନ୍ତି । ବ୍ୟାସ ଦେଖିଲେ, ଅନତି ଦୂରରେ ଜଣେ ଶବର ବାଳକ ଏକ ଅଦ୍ଭୁତ କାର୍ଯ୍ୟ କରୁଛି । ସେ ଗଛକୁ ନିଦେ୍ର୍ଦଶ ଦେଉଛି ତା’ ନିକଟକୁ ଆସିବା ପାଇଁ । ଗଛ ତା’ ନିକଟକୁ ନଇଁ ଆସୁଛି ଓ ସେ ସେହି ଗଛରୁ ଫଳ ତୋଳି ଖାଉଛି । ପୁଣି ଗଛଟି ନିଜ ସ୍ଥାନକୁ ଫେରିଯାଉଛି । ଏହା ବ୍ୟାସକୁ ଅଭିଭୂତ କଲା । ସେ ଏହି ଜ୍ଞାନଟିକୁ ହାସଲ କରିବାକୁ ଇଚ୍ଛା ପ୍ରକାଶ କଲେ ଓ ଶବର ବାଳକଟିକୁ ନିଜର ମନକଥା ଜଣାଇଲେ । ଶବର ବାଳକ କହିଲା, ମୋର ଏ ଜ୍ଞାନକୁ ଆପଣଙ୍କୁ ଦେବାରେ ମୋର କୌଣସି ଆପତ୍ତିନାହିଁ । ତେବେ, ଆପଣ ଯଦି ମୋତେ ଗୁରୁ ଭାବରେ ବରଣ ନ କରିବେ, ତା’ହେଲେ ମୁଁ ୟାକୁ ଆପଣଙ୍କୁ ଦେବି । ଏହାଦ୍ୱାରା ଆପଣଙ୍କର କ୍ଷତି । ମୋର ବି ଅମଙ୍ଗଳ । ବ୍ୟାସଙ୍କ ଶିଷ୍ୟମାନେ ହସିଲେ ଓ କହିଲେ, ବାଳକର ମତିଭ୍ରମ ହେଇଗଲା । ଏଡ଼େ ଛୋଟ ପିଲାକୁ ପୁଣି ବ୍ୟାସ ଗୁରୁ ଭାବରେ ବରଣ କରି ତା’ର ପୂଜା କରିବେ । ମାତ୍ର ପରମୁହୂର୍ତ୍ତରେ ଘଟିଲା ଏକ ଅଦ୍ଭୁତ ଘଟଣା।ବ୍ୟାସ ମହାତପସ୍ୱୀ ହେଇ ବି ଛୋଟ ବାଳକଟିର ପାଦ ପୂଜା କରିବାକୁ ଲାଗିଲେ । ଶିଷ୍ୟମାନଙ୍କୁ କହିଲେ, ଯିଏ ସଦଗୁରୁ ତାଙ୍କର କୌଣସି ବୟସ ନଥାଏ । ଆଉ ବିନା ଗୁରୁରେ ହାସଲ କରାଯାଇଥିବା ବିଦ୍ୟା ଅନିଷ୍ଟକର ହୋଇଥାଏ ।
-ରାଜେନ୍ଦ୍ର


