ସେମାନଙ୍କ ପାଇଁ ଖୁସିଖବର, ଯେଉଁମାନେ ଭିମ-ୟୁପିଆଇ କାରବାର(ପି୨ଏମ୍‌) ବ୍ୟବହାର କରୁଛନ୍ତି। ବିଶେଷକରି ଯେଉଁ ଛୋଟ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ଏହାଦ୍ୱାରା ଫାଇଦା ନେଇପାରିବେ।
କେନ୍ଦ୍ର ସରକାର ଏବେ କମ୍‌ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ କମ କାରବାର ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ବ୍ୟବସାୟୀମାନଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପି୨ଏମ) କାରବାର ପାଇଁ ପ୍ରତି କାରବାର ପାଇଁ ୦.୧୫% ପ୍ରୋତ୍ସାହନ ପ୍ରଦାନ କରାଯିବ। ସରକାରଙ୍କ ଅନୁଯାୟୀ, ଏହି ଯୋଜନାରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ ସ୍ୱଦେଶୀ ଭିମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ, ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ଭିମ-ୟୁପିଆଇରୁ ମୋଟ ୨୦୦୦୦ କୋଟି ଟଙ୍କାର କାରବାରର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଦେଶରେ ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।