ଆଜିର ଯୁଗ କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟର ଯୁଗ। ଗୋଟିଏ ମୁହୂର୍ତ୍ତ ହାତରୁ ମୋବାଇଲ ଚାଲିଗଲେ ନିଜକୁ ଦୁନିଆରୁ ବିଚ୍ଛିନ୍ନ ହୋଇଗଲା ଭଳି ଅନୁଭବ ହେଉଛି। ଛାଡ଼ନ୍ତୁ ଆମ ଭଳି ବୟସ୍କ ଓ ପରିପକ୍ଵ ନାଗରିକଙ୍କ କଥା। ପିଲାଏ ବି କମ୍ପ୍ୟୁଟର, ମୋବାଇଲ୍ ଓ ଇଣ୍ଟରନେଟ ସହ ଏତେ ଅଭ୍ୟସ୍ତ ହୋଇଗଲାଣି ପାଠ ବହି କଥା ଭୁଲି ଗଲେଣି। ଆମେ ବି ସେମିତି କରିଛେ ଜନ୍ମ ହେବାର କିଛି ମାସ ମଧ୍ୟରେ ପିଲାଙ୍କ କାନ୍ଦ ବନ୍ଦ୍ କରିବାକୁ ଯାଇ ମୋବାଇଲର ଗୀତ ଶୁଣେଇ ଦେଉଛେ। ପିଲା ଖାଇବା ନ ଖାଇଲେ ତାକୁ ମୋବାଇଲ୍ ଧରେଇ ଖାଇବାକୁ ଦେଉଛେ।

ବିଶେଷକରି କରୋନା ପରବର୍ତ୍ତୀ ସମୟରେ ଆମେ ପିଲାଙ୍କୁ ଅଧିକ ମୋବାଇଲ୍ ଅଭ୍ୟସ୍ତ କରାଇ ଦେଉଛେ। କାରଣ କରୋନା ସଂକ୍ରମଣ ଦୂରେଇବା ପାଇଁ ଆମେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଲେ। ପିଲା ସ୍କୁଲ ଗଲେନି। ଘରେ ବସି ଭର୍ଚୁଆଲ ଶିକ୍ଷା ଗ୍ରହଣ କଲେ। ଯେଉଁଥିପାଇଁ କି ଧନୀ, କି ଗରିବ, କି ମଧ୍ୟବିତ୍ତ; ସମସ୍ତ ବାପା ମାଆ ପିଲାଙ୍କୁ ମୋବାଇଲ୍ ଧରେଇ ଦେଲେ। ଅନେକ ଗରିବ ପିଲାଙ୍କୁ ମୋବାଇଲ୍ ଦେବା ପାଇଁ ଗରିବ ବାପା ମାଆ ଜମି ବିକିଲେ, ଗାଈଗୋରୁ ବିକିବା ଭଳି ଖବର ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲେ। ଘରେ ଅଟା କଥା ଭୁଲି ବାପ ମାଆ ପିଲାଙ୍କ ମୋବାଇଲରେ ଡାଟା ଭର୍ତ୍ତି କଲେ।
ଏବେ ପ୍ରତ୍ୟେକ ଘରେ ବାପା, ମାଆଙ୍କ ସହ ପ୍ରତି ପିଲାଙ୍କ ପାଇଁ ବି ମୋବାଇଲ୍ କିଣିବା ଘରୋଇ ବଜେଟ୍ ର ଏକ ଅଂଶ ପାଲଟି ଗଲାଣି । ପ୍ରଭାବରେ ମୋବାଇଲ୍ ନ ଥିଲେ ପିଲା ନିଜକୁ ପଛୁଆ ମାନେ କରୁଛନ୍ତି। ପାଞ୍ଚ ଜଣଙ୍କ ଭିତରେ ନିଜକୁ ସମାନ ବୋଲି ଭାବିପାରୁ ନାହାନ୍ତି ତେବେ ମୋବାଇଲ୍ ଏବେ ଗୁରୁତର ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି ।ଯାହାର ପରିଣାମ ପୂରା ସମାଜ ଭୋଗୁଛି। ଘରେ ଘରେ ବାପା, ମାଆ, ବୁଢ଼ୀ ମାଆ, ବୁଢ଼ା ବାପାଠାରୁ ଆରମ୍ଭ କରି ପିଲାମାନେ ମୋବାଇଲ୍ ଧରି ବସି ପଡ଼ୁଛନ୍ତି। ଘରେ ଘରେ ବାପ, ମାଆଙ୍କ ସହ କଥା ହେବାକୁ ପିଲାଙ୍କ ପାଖରେ ସମୟ ମିଳୁନି। ସମସ୍ତେ ମୋବାଇଲରେ ନିଜନିଜ ପସନ୍ଦର ରିଲ୍ସ ଦେଖିବାରେ ବ୍ୟସ୍ତ। ଦିନେ କରୋନା ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୋବାଇଲର ପ୍ରସାର ଘଟିଥିବା ବେଳେ ସତକୁ ସତ ଏବେ ସାମାଜିକ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଛି। ପାରିବାରିକ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଛି। ପିଲା ଅନ୍-ଲାଇନ୍ ଖେଳ ଖେଳି ଭୁଲ ବାଟରେ ଯାଉଛି। କେଉଁଠି ପିଲା ସେହି ଖେଳ ପ୍ରଭାବରେ ପଡ଼ି ଆତ୍ମହତ୍ୟା କରୁଛି ତ ଯୁବକମାନେ ଅନଲାଇନରେ ଅର୍ଥ ନିବେଶ କରି ସର୍ବସ୍ବ ହରାଇବା ପରେ ମାରଣକୁ ବରଣ କରୁଛି।

ଏସବୁ ଦିଗଠାରୁ ସାଙ୍ଘାତିକ କଥାଟି ହେଉଛି ଆଗାମୀ କାଲିର ବିସ୍ଫୋରଣ ବା ବିଘଟନ ବିଡ଼ମ୍ବନା। ଯଦି ଆମେ ଡାରଉଇନଙ୍କ ବିବର୍ତ୍ତନବାଦ (evolution)କୁ ଅନୁଶୀଳନ କରିବା ତେବେ ଗୋଟିଏ ପୋକରୁ କ୍ରମ ବିବର୍ତ୍ତନ ହୋଇ ଏ ମଣିଷ ପୂର୍ଣ୍ଣାଙ୍ଗ ଅବସ୍ଥାରେ ପହଞ୍ଚିଛି ବୋଲି କୁହାଯାଏ। ଏଇ ମଣିଷର ଠିକ୍ ପୂର୍ବ ସ୍ଥିତିକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯେଉଁ ଅଂଶ ବା ଅଙ୍ଗ ଆମ କାମରେ ଲାଗେ ନାହିଁ ତାହା ଧୀରେ ଧୀରେ ଲୋପ ପାଇଯାଇଛି। ଯେଉଁ ଜିନିଷର ଆବଶ୍ୟକତା ବଢ଼ିଛି ତାହା ବିସ୍ତୃତ ଭାବେ ପରିଲକ୍ଷିତ ହୋଇଛି। ପ୍ରଥମ ଉଦାହରଣ ଭାବେ ଆମେ ଲାଙ୍ଗୁଡ଼କୁ ନେଇ ପାରିବା। ମଣିଷର ଠିକ୍ ପୂର୍ବବସ୍ଥା ଲଙ୍ଗୁଡ ଥିଲା ବୋଲି ବୈଜ୍ଞାନିକମାନେ ଦାବି କରନ୍ତି। ଏବେ ବି ଲାଙ୍ଗୁଡ ଥିବା ସ୍ଥାନରେ ଛୋଟ ଅଂଶଟି ଅନୁଭବ କରିହୁଏ। କିନ୍ତୁ ସମୟ କ୍ରମେ ଅନାବଶ୍ୟକ ଯୋଗୁଁ ତାହା ବିଲୋପ ହୋଇଗଲା। ଏହା ହେବା ପଛରେ evolution ବା କ୍ରମ ବିବର୍ତ୍ତନ ହିଁ କାରଣ। ଏବେ ଆମେ ମୋବାଇଲ୍ ବ୍ୟବହାର ଏତେ ମାତ୍ରାରେ କରୁଛେ ଯେ ଆମ ମସ୍ତିଷ୍କର ସ୍ମରଣଶକ୍ତି ଅନାବଶ୍ୟକ ହୋଇପଡିଛି। ଏହି କ୍ରମବିବର୍ତ୍ତନ ବ୍ୟବସ୍ଥା ଭିତରେ ଆମ ଶରୀରର ମୁଖ୍ୟାଳୟ ବା ମୁଖ୍ୟ ଅଂଶ କୁହା ଯାଉଥିବା ମସ୍ତିଷ୍କଟି ମଧ୍ୟ ଲୋପ ପାଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏମିତିକି ମୋବାଇଲ୍ ବ୍ୟବହାର ପାଇଁ ଆଖି ଦୁଇଟି ବଡ ବଡ ହୋଇପାରେ। ମୁଣ୍ଡ ଛୋଟ ହେବା ସାଙ୍ଗକୁ ବଡ଼ ଆଖି ଆପଣଙ୍କ ପରପିଢ଼ି ପାଇଁ କିଭଳି ଦୃଶ୍ୟମାନ ହେବ ତାହା ଅନୁମେୟ। ଆଜିର ଦିନରେ ସୁନ୍ଦର ଦୃଶ୍ୟମାନ ହେଉଥିବା ମଣିଷର ମୁଣ୍ଡରେ ବି ପରିବର୍ତ୍ତନ ହୋଇ ଅତି ବିକୃତ ହୋଇପାରେ।

ସମ୍ପାଦକ, ଓଡ଼ିଶା ଜାଗରଣ