ଅଜାଙ୍କ ମୃତ୍ୟୁ ସାଙ୍ଗକୁ ଦେହ ଅସୁସ୍ଥ। ଛୁଟି ପାଇଁ ସ୍କୁଲ୍ ଅଧ୍ୟକ୍ଷଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଛୁଟି ଦେବା ପାଇଁ ମନା କରି ଦେଇଥିଲେ ଶିକ୍ଷକ। ବାଧ୍ୟ ହୋଇ ସାଲାଇନ୍ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଁସା ଆଦର୍ଶ ବିଦ୍ୟାଳୟରେ।
ଖବର ନେବାରୁ ଜଣାପଡ଼ିଛି ଯେ, କିଛିଦିନ ତଳେ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଅଜାଙ୍କ ପରଲୋକ ଘଟିଥିଲା। ଗୁରୁବାର ଅଜାଙ୍କ ଶୁଦ୍ଧିକ୍ରିୟା ଥିଲା। ସେହିଭଳି ତାଙ୍କ ଦେହ ମଧ୍ୟ ଅସୁସ୍ଥ ଥିଲା। ଜ୍ୱର ହେବାରୁ ତାଙ୍କୁ କଲେଜ ଛକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଔଷଧ ଦେବା ସହ ଡାକ୍ତର ତାଙ୍କ ଦେହରେ ସାଲାଇନ୍ ଲଗାଇଥିଲେ। କିଛିଦିନ ବିଶ୍ରାମ ପାଇଁ ଛୁଟି ଆବେଦନ କରିଥିଲେ ପ୍ରକାଶ। ସ୍କୁଲ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ମଞ୍ଜୁର କରିବାକୁ ମନା କରିବାରୁ ସେ ଅଜାଙ୍କ ଶୁଦ୍ଧିକ୍ରିୟା ସାରି ପ୍ରକାଶ ପରିବାର ଲୋକଙ୍କ ସହାୟତାରେ ହାତରେ ସାଲାଇନ୍ ଧରି ସ୍କୁଲକୁ ଆସିଥିଲେ। ସେ ଦଳିତ ବର୍ଗର ହୋଇଥିବାରୁ ସ୍କୁଲ ପ୍ରିନ୍ସିପାଲ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ। ଅନ୍ୟ ଶିକ୍ଷକ ମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶିକ୍ଷକଙ୍କ ଦେହ ପ୍ରକୃତରେ ଅସୁସ୍ଥ ରହିଛି ତାହେଲେ କହିକି ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିନାହାନ୍ତି ତାହାର ତଦନ୍ତ କରାଯିବ ବୋଲି ବିଇଓ କହିଛନ୍ତି।


