ଆନ୍ଧ୍ର ପରେ ଏବେ ଓଡ଼ିଶା ଜମି ଉପରେ ନଜର ପାଇଛି ପଶ୍ଚିମବଙ୍ଗ। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ଉପରେ ପଶ୍ଚିମ ବଙ୍ଗ ଜମି ଦଖଲ ପାଇଁ ଖୁଣ୍ଟ ପୋତିଛି।
ଶନିବାର ପଶ୍ଚିମବଙ୍ଗ ରାଜସ୍ବ ବିଭାଗ ଓ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ସାହାବାଜପୁର ଅଞ୍ଚଳରେ ଖୁଣ୍ଟ ପୋଟିଛି। ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସି ନ ଥିଲେ। ଅପରପକ୍ଷେ ଲୋକଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ପ୍ରଶାସନିକ କର୍ମଚାରୀମାନେ ବାଧ୍ୟ ହୋଇ ଖୁଣ୍ଟ ଉପାଡ଼ି ଚାଲି ଯାଇଥିଲେ।
ପ୍ରକାଶ ଥାଉ କି ଓଡ଼ିଶାର କୋଟିଆ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ର ପ୍ରଦେଶ ଦଖଲକୁ ନେବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ସେହିଭଳି ମହାନଦୀ ଉପରମୁଣ୍ଡରେ ତେଲେଙ୍ଗାନା ପୋଲାଭରମ ପ୍ରକଳ୍ପ କରିବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି।

ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରି ଜଙ୍ଗଲରେ ଲୁଚିଥିଲା ଯୁବକ। କିନ୍ତୁ ପୁଲିସକୁ ଦେଖି ବିଷ ପିଇଦେଲା।
ଖବର ନେବାରୁ ଜଣାପଡ଼ିଛି ଯେ, ବାଲେଶ୍ବର ଜିଲ୍ଲା ସୋର ପୌର ପରିଷଦର ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ବେଙ୍ଗାଳୁରୁରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେ ଯେଉଁ ସଂସ୍ଥାରେ କାମ କରୁଥିଲେ ସେହି ସଂସ୍ଥାର ସ୍ମୃତିରଞ୍ଜନ ନାମକ ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ ସ୍ମୃତିରଞ୍ଜନ। ଯୁବତୀ ନିଜ ଘରକୁ ଯାଇଥିବା ବେଳେ ଯୁବକ ତାଙ୍କ ଘରେ ପହଞ୍ଚି ପୁଣି ପ୍ରେମ ନିବେଦନ କରିଥିଲେ। ଜ୍ୟୋତିର୍ମୟୀ ପ୍ରତ୍ୟାଖାନ କରିବାରୁ ଯୁବକ ଜଣଙ୍କ ତାଙ୍କ ଗଳାକାଟି ହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସ୍ମୃତି ରଞ୍ଜନ ଜଙ୍ଗଲ ଭିତରେ ଲୁଚିଥିବା ବେଳେ ପୁଲିସ ଆଜି ଚଢ଼ଉ କରିଥିଲା। ପୁଲିସକୁ ଦେଖି ସ୍ମୃତି ରଞ୍ଜନ ବିଷ ପିଇ ଦେଇଥିଲା। ପୁଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି।

ମହୁ ଖାଇବାକୁ ଗଛରେ ଚଢ଼ିଥିବ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ପଡିଯିବାରୁ ଭାଲୁର ମୃତ୍ୟୁ ଘଟିଛି। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରରୁ ବାହାର କରିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ, ଗତକାଲି ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ବିଟ୍ ତଇଲା ସାହିକୁ ଆସିଥିଲା। ଗ୍ରାମର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢ଼ିଥିବା ବେଳେ କୌଣସି କାରଣବଶତଃ ଖସିପଡ଼ି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡ଼ିଥିଲା। ଫଳରେ ଭାଲୁର ପେଟରେ ବିଦ୍ୟୁତ ଆଘାତ ଦ୍ବାରା ବିରାଟ କ୍ଷତ ସୃଷ୍ଟି ହେବା ସହ ଭାଲୁଟି ମୃତ୍ୟୁବରଣ କରିଛି। ବନ ବିଭାଗ କର୍ମଚାରୀମାନେ ଭାଲୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଏନେଇ ଅବଗତ କରିଥିଲେ। ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସଫର୍ମରରରୁ ବାହାରକୁ କାଢ଼ିଥିବା ବେଳେ ବନ ବିଭାଗକୁ ହସ୍ତାନ୍ତର କରିଛି। ଭାଲୁଟି ପୁରୁଷ କି ମାଈ ଓ ଏହାର ବୟସ କେତେ ଏବଂ ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତ ନା ଆଉ କିଛି, ସେ ଦିଗରେ ବନବିଭାଗ ତଦନ୍ତ ଆରମ୍ଭ କରିଛି।