ଭୁବନେଶ୍ୱର, କଟକ ଡିସିପିଙ୍କ ସମେତ ଆଇପିଏସ ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।
ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାର ଏସ୍‌ ଏମ୍‌ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ଵ ଦିଆଯାଇଛି।
ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସିରେ ଏଡିଜି, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଜି, (ଅପରେସନ୍‌) ଭାବେ ବଦଳି କରାଯାଇଛି। ସେହିପରି ଆଇଜି (ଅ‌ପରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି। ଗତ କିଛି ମାସ ବ୍ୟବଧାନରେ ଏବଂ ସରକାରୀ ଦଳ ବିଜେପିର ସଭାପତି ପରିବର୍ତ୍ତନ ପୂର୍ବରୁ ସରକାରଙ୍କ ଏଭଳି ବଦଳି ପଛରେ କ’ଣ ରହିଛି କାରଣ ତାହା ଜଣା ପଡିନାହିଁ।

ହୋମଗାର୍ଡକୁ ପ୍ରେମ ଓ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଥିବା କୁଜଙ୍ଗ ଥାନା ଇନ୍ସିପେକ୍ଟର ତପନ ନାହାକଙ୍କ ସମେତ ଜଣେ ଅତିରିକ୍ତ ଏସ୍‌ପିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ହୋମଗାର୍ଡ।
ସେ କହିଛନ୍ତି ଯେ, ଇନ୍ସିପେକ୍ଟର ଯେତେବେଳେ ଏଏସ୍‌ଆଇ ଥିଲେ ସେବେଠାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସେ ଇନ୍ସିପେକ୍ଟର ହେବା ପରେ ତାଙ୍କ ସହ କୌଣସି ସମ୍ପର୍କ ରଖୁ ନ ଥିଲେ। ଯେଉଁଥିପାଇଁ ସେ ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ଇନ୍ସିପେକ୍ଟର ଗିରଫ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କିନ୍ତୁ ପୀଡ଼ିତା ହୋମଗାର୍ଡ ଏବେ ଜଣେ ଅତିରିକ୍ତ ଏସ୍‌ପିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି ଯେ, ସେ ଯେତେବେଳେ ଇନ୍ସିପେକ୍ଟରଙ୍କ ନାଁରେ ଅଭିଯୋଗ କଲେ ମାମଲା ପ୍ରତ୍ୟାହାର ପାଇଁ ଏସ୍‌ପି ତାଙ୍କ ଉପରେ ଚାପ ପକାଉଥିଲେ। ଏମିତି କି ୨୫ ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ମଧ୍ୟ ଦେଖାଇବା ସହ ଚାକିରୀରୁ ନିଲମ୍ବନ କରିବାର ଧମକ୍‌ ଦେଇଥିଲେ ବୋଲି କହିଛନ୍ତି ପୀଡ଼ିତା ହୋମଗାର୍ଡ।
ତେବେ ସେ ସିଧା ସଳଖ ନ କହି ଜଣେ କନ୍‌ଷ୍ଟେବଳ ମାଧ୍ୟମରେ କହିଥିଲେ ବୋଲି ପୀଡ଼ିତା କହିଛନ୍ତି। ଏମିତି କି ଏକ ଅଜଣା ନମ୍ବରରୁ ତାଙ୍କ ବାପା ମାଆଙ୍କୁ ଧମକ୍‌ ଦିଆଯାଉଥିବା ଅଭିଯୋଗ କରିଛନ୍ତି ହୋମଗାର୍ଡ। ଏମିତି କି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଗଣମାଧ୍ୟମ ମାଧ୍ୟମରେ ସୁରକ୍ଷା ଲୋଡ଼ିଛନ୍ତି। ଅପରପକ୍ଷେ ହୋମଗାର୍ଡଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା। ସେ କହିଛନ୍ତି ଯେ, ହୋମଗାର୍ଡ ଯାହାସବୁ ଅଭିଯୋଗ ଆଣିଛନ୍ତି ତା’ର କିଛି ପ୍ରମାଣ ଅଛି କି। ଏମିତି କି ଭେଟିବାକୁ ଯିବାର କୌଣସି ବ୍ୟକ୍ତି ଦେଖିଥିବାର କିମ୍ବା ପ୍ରମାଣ ଥିଲେ ଦିଅନ୍ତୁ। ତେଣୁ ହୋମଗାର୍ଡ ଯାହାସବୁ କହୁଛନ୍ତି ତାହା ମିଛ ବୋଲି କହିଛନ୍ତି ଏସ୍‌ପି ଶ୍ରୀ ଉଦ୍‌ଗାତା।

ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଇନ୍ସପେକ୍ଟରଙ୍କ ପାଇଁ ମାହାଙ୍ଗା ପଡ଼ିଲା। ହୋମଗାର୍ଡଙ୍କୁ ପ୍ରତାରଣା କରିବା ଅଭିଯୋଗରେ ନିଲମ୍ବନ ହେଲେ ଇନ୍ସପେକ୍ଟର ତପନ ନାହାକ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ।

ଜଗତସିଂପୁର ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡ ପୁଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ବିବାହିତ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ପର୍କ କ୍ରମେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା। କିନ୍ତୁ, ପରେ କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ।
ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏ ନେଇ ମହିଳା ହୋମଗାର୍ଡ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବୁଧବାର କଟକ ପୁଲିସ ମହାନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି।

ଓଡ଼ିଆ ସାମ୍ବାଦିକଙ୍କୁ ପଡେ଼ାଶୀ ଛତିଗଡ଼ ପୁଲିସ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏମିତି ତାଙ୍କ ମୋବାଇଲ୍‌ ଫୋନ୍‌ ଏବଂ ବୁମ୍‌ ଛଡ଼ାଇ ନେଇଥିବା ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଚନ୍ଦାହାଣ୍ଡି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଖବର ନେବାରୁ ଜଣାପଡ଼ିଛି ଯେ, ରବିବାର ମଧ୍ୟାହ୍ନ ସମୟରେ ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ କୋଇଲିମୁଣ୍ଡା ଠାରେ ଥିବା ଏକ ଢାବାକୁ ଛତିଶଗଡ଼ର ଅମଲିପଦର ଥାନାର ୭ ଜଣ  ପୁଲିସ କର୍ମଚାରୀ ଖାଇବାକୁ ଆସି ମାଲିକଙ୍କୁ ଧମକ୍‌ଚମକ ଦେଇଥିଲେ। ଏ ନେଇ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ବୈଦ୍ୟୁତିକ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଓ ତାଙ୍କର ସହଯୋଗୀ ସୁରଜ ବଗର୍ତ୍ତୀ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାକୁ ଯାଇ ନିଜ ମୋବାଇଲରେ ଫଟୋ ଉଠାଥିବା ବେଳେ ଛତିଶଗଡ଼ ପୁଲିସ କର୍ମଚାରୀମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏମିତି କି ସାମ୍ବାଦିକଙ୍କଠାରୁ ବୁମ୍‌, ୨ଟି ମୋବାଇଲ ଫୋନ୍‌ ଛଡାଇ ନେଇଥିଲେ ଓ ପୂର୍ଣ୍ଣଚନ୍ଦ୍ରଙ୍କ ସହଯୋଗୀ ସୁରଜଙ୍କୁ ଗାଡିରେ ବସାଇ ଅମଲିପଦର ଥାନାକୁ ନେଇ ଯାଇଥିଲେ। ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଚନ୍ଦାହାଣ୍ଡି ଥାନାରେ ଛତିଶଗଡ଼ ପୁଲିସ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।
ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲ୍ଲାହର୍ଷଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଖଗେଶ୍ୱର ଖୋସଲା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଘଟଣା ସମ୍ପର୍କରେ ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡାଙ୍କୁ ଅବଗତ କରାଯାଇଛି।