ଟେକ୍ନୋଲୋଜିର ବିକାଶ ଯେତିକି ହେଉଛି ସେହି ତୁଳନାରେ ଇ-ବର୍ଜ୍ୟ ବା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟର ମାତ୍ରା ବୃଦ୍ଧି ପାଉଛି। ଯାହା ବୁଦ୍ଧିଜୀବୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କେବଳ ଭାରତବର୍ଷରେ ନୁହେଁ ସମଗ୍ର ବିଶ୍ୱରେ ଏହା ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। କାରଣ ହେଉଛି ଅନ୍ୟ ଆବର୍ଜନା ପରି ଇ-ବର୍ଜ୍ୟର ପରିଚାଳନା ଏବଂ ପ୍ରକ୍ରିୟାକରଣ କଷ୍ଟସାଧ୍ୟ ବ୍ୟାପାର। ଇ-ବର୍ଜ୍ୟର ପରିଚାଳନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମ ରହିଥିଲେ ମଧ୍ୟ ତା’ର ସଠିକ୍‌ ବ୍ୟବହାର କ୍ଷେତ୍ରରେ ଏବେ ବି ଆମେ ପଛରେ। ସମୟ କ୍ରମେ ଟେକ୍ନୋଲୋଜୀର ଯେଭଳି ଭାବେ ବ୍ୟବହାର ବୃଦ୍ଧି ପାଇଛି ଆଗକୁ ଏହା ସଂଘାତିକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ପରିଚାଳନାରେ ଭାରତ ପଛରେ

ଦୈନନ୍ଦିନ ଆବଶ୍ୟକତା ପାଇଁ ଆମେ ଯେଉଁ ଇଲେକ୍ରେ୍ଟାନିକ୍ସ ଉପକରଣମାନ ବ୍ୟବହାର କରିଥାଉ ପରବର୍ତ୍ତୀ ସମୟରେ ଅଚଳ ହୋଇ ପଡ଼ିଲେ ସେଗୁଡ଼ିକୁ ଇ-ବର୍ଜ୍ୟ ବୋଲି କୁହାଯାଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱରେ ପ୍ରାୟ ୫୯.୪୦ ମିଲିୟମ ଟନ୍‌ ଇ-ବର୍ଜ୍ୟ ଉତ୍ପନ୍ନ ହୋଇଥିବା ବେଳେ ଭାରତରେ ଏହାର ପରିମାଣ ପ୍ରାୟ ୧.୭୧ ମିଲିୟନ ଟନ୍‌ ରହିଛି। ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସମଗ୍ର ବିଶ୍ୱରେ ଭାରତ ଇ-ବର୍ଜ୍ୟ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି। ଭାରତରେ ବାର୍ଷିକ ୨୦ ଲକ୍ଷ ଟନ୍‌ ଇ-ବର୍ଜ୍ୟ ଉତ୍ପନ୍ନ ହେଉଥିବା ବେଳେ ଏଥିରୁ ମାତ୍ର ୦.୦୦୩ ମେଟ୍ରିକ ଟନ୍‌ ଇ-ବର୍ଜ୍ୟ ପରିଚାଳନାରେ ସାମିଲ ହୋଇପାରୁଛି। ଭାରତରେ ବାର୍ଷିକ ଉତ୍ପାଦିତ ହେଉଥିବା ଇ-ବର୍ଜ୍ୟ ମଧ୍ୟରୁ ୭୦ ପ୍ରତିଶତ କେବଳ କମ୍ପ୍ୟୁଟର ଉପକରଣରୁ ବାହାରୁଥିବା ବେଳେ ୧୨ ପ୍ରତିଶତ ଟେଲିକମ୍‌ ସେକ୍ଟରରୁ, ୮ ପ୍ରତିଶତ ମେଡିକାଲ ଉପକରଣରୁ ଏବଂ ୭ ପ୍ରତିଶତ ବୈଦ୍ୟୁତିକ ଉପକରଣରୁ ବାହାରୁଛି। ଆକଳନ ଅନୁଯାୟୀ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ କେବଳ ୭୫ ପ୍ରତିଶତ ଇ-ବର୍ଜ୍ୟ ବାହାରୁ ଥିବା ବେଳେ ଘରୋଇ କ୍ଷେତ୍ରରୁ ୧୭ ପ୍ରତିଶତରୁ ଅଧିକ ଇ-ବର୍ଜ୍ୟ ଉତ୍ପନ୍ନ କରିଥାନ୍ତି। ତେବେ ଇ-ବର୍ଜ୍ୟ ପରିଚାଳନାରେ ଭାରତର ପ୍ରଦର୍ଶନ ଖୁବ ନିରାଶାଜନକ ବୋଲି କୁହାଯାଉଛି।

ବିପଦରେ ଭବିଷ୍ୟତ

ମଣିଷର ଆବଶ୍ୟକତା ଏବଂ ବିକାଶ ପ୍ରକ୍ରିୟା, ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର, ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଇଲେକ୍ଟ୍ରୋନିକ୍ସ ଉପକରଣର ବହୁଳ ବ୍ୟବହାର ଯୋଗୁଁ ଇ-ବର୍ଜ୍ୟର ମାତ୍ରା ବୃଦ୍ଧିକରୁଛି। ମୃତ୍ତିକାଠାରୁ ଆରମ୍ଭ କରି ପାଣି ଏବଂ ବାୟୁ ପ୍ରଦୂଷଣ କରିବାରେ ଇ-ବର୍ଜ୍ୟର ପ୍ରଭାବକୁ ବୈଜ୍ଞାନିକମାନେ ବିପଦ୍‌ଜନକ କହୁଛନ୍ତି। ଯଦି ଜଳ କଥା ବିଚାରକୁ ନିଆଯାଏ, ତାହେଲେ ଇ-ବର୍ଜ୍ୟରେ ଥିବା ବେରିଅମ୍‌, ମରକ୍ୟୁରୀ, ଲିଥିୟମ୍‌ ଆଦି ଭୂତଳ ଜଳକୁ ବହୁଳ ମାତ୍ରାରେ ପ୍ରଦୂଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି ଏହି ଧାତବ ପଦାର୍ଥ ଏବଂ କେମିକାଲ୍‌ ମାଟିରେ ମିଶିଲେ ମୃତ୍ତିକା ପ୍ରଦୂଷଣ ମଧ୍ୟ ହୋଇଥାଏ। ଫଳରେ ଲୋକେ ମସ୍ତିଷ୍କ, ହୃଦୟ, ଯକୃତ, ଏବଂ ମେରୁଦଣ୍ଡ ସମସ୍ୟାଜନିତ ରୋଗର ଶିକାର ହୋଇଥାନ୍ତି। ଏପରିକି ଏହି ଧାତବ ପଦାର୍ଥଗୁଡ଼ିକ ପରୋକ୍ଷ ଭାବେ ଆସିବା ପରେ ମାଆ ପେଟରେ ଥିବା ପିଲା ବିକଳାଙ୍ଗ ଭାବେ ଜନ୍ମ ନେବାର ମଧ୍ୟ ଆଶଙ୍କା ରହୁଥିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଇ-ବର୍ଜ୍ୟର କାରଣ

ବିଶେଷଜ୍ଞଙ୍କ କହିବାନୁଯାୟୀ କଞ୍ଜ୍ୟୁମର ବିହେଭିୟର୍‌ ଅର୍ଥାତ୍‌ ଉପଭୋକ୍ତାଙ୍କ ଆଚରଣରୁ ଦେଶରେ ଇ-ବର୍ଜ୍ୟ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ବଡ଼କଥା ହେଉଛି ଉପଭୋକ୍ତାମାନେ ଇ-ବର୍ଜ୍ୟର କ୍ଷତିକାରକ ଦିଗ ସମ୍ପର୍କରେ ଆଦୌ ସଚେତନ ନୁହନ୍ତି। ଯେଉଁଥିପାଇଁ କି ସେମାନେ ଇ-ବର୍ଜ୍ୟଗୁଡ଼ିକୁ ପ୍ରକ୍ରିୟାକରଣ ପାଇଁ ପ୍ରଦାନ କରୁନାହାନ୍ତି। ସେହିପରି ପୁରୁଣା ଜିନିଷ, ପୁରୁଣା ସ୍ମୃତିକୁ ନେଇ ଲୋକେ ଖୁବ୍‌ ଭାବପ୍ରବଣ ହୋଇଥିବା ବେଳେ ନିଜର ପ୍ରଥମ ଇଲେକ୍ଟ୍ରୋନିକ୍ସ ଉପକରଣକୁ ନେଇ ସେମାନଙ୍କ ମଧ୍ୟରେ ଏକ ଅସମ୍ଭବ ଆଶକ୍ତି ରହିଥାଏ। ଯାହା ପରୋକ୍ଷରେ ଘରେ ଘରେ ପୁରୁଣା ଉପକରଣ ମହଜୁଦ୍‌ ରହିବାର ଅନ୍ୟତମ କାରଣ ପାଲଟିଥାଏ। ସେହିପରି ଇ-ବର୍ଜ୍ୟ ବଢ଼ିବାର ଅନ୍ୟତମ କାରଣ ଭାବେ ସରକାରୀ ସଚେତନତା ଏବଂ ପ୍ରୋତ୍ସାହନକୁ ମଧ୍ୟ ଦାୟୀ କରାଇପାରେ। କେତେକ କ୍ଷେତ୍ରରେ ଲୋକଙ୍କୁ ନିଜର ପୁରୁଣା ଉପକରଣ ବଦଳରେ ଉପଯୁକ୍ତ ପାଉଣା କିମ୍ବା ପ୍ରୋତ୍ସାହନ ରାଶି ମିଳୁ ନ ଥିବାରୁ ଲୋକେ ଏପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁଥିପାଇଁ ବଢ଼ି ଚାଲିଛି ଇ-ବର୍ଜ୍ୟର ମାତ୍ରା।

ଅଜାଣତରେ ମାଡ଼ି ଆସୁଛି ବିପଦ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବୈଶ୍ୱିକସ୍ତରରେ ପ୍ରତିବର୍ଷ ଉତ୍ପନ୍ନ ହେଉଥିବା ଇଲେକ୍ଟ୍ରୋନିକ୍ସ ଆବର୍ଜନା ମଧ୍ୟରୁ ପ୍ରାୟ ଏକ ଷଷ୍ଠାଂଶ ସାଧାରଣତଃ ଜଣାପଡେ଼ ନାହିଁ। ଅର୍ଥାତ୍‌ ଏହା ଆଖି ସାମ୍ନାରେ ଥିଲେ ମଧ୍ୟ ଆମେ ଏହାକୁ ଆବର୍ଜନା ଭାବେ ଏହାକୁ ପରିଗଣିତ କରି ନ ଥାନ୍ତି। ଯାହାକୁ ଆମେ ଅଦୃଶ୍ୟ ଇ-ବର୍ଜ୍ୟ ବୋଲି କହିପାରିବା। ଏହି ଆବର୍ଜନା ମଧ୍ୟରେ ଇ-ଖେଳନା, ଇ-ବାଇକ୍‌ ଉପକରଣ, ଅଚଳ ବିଜୁଳି ଉପକରଣ, ସ୍ମୋକ ଡିଟେକ୍ଟର, ହେଡ୍‌ଫୋନ, ଇୟରବଡ୍ସ, ସ୍ପିକର୍‌, ରିମୋଟ୍‌ କଣ୍ଟ୍ରୋଲ ଉପକରଣ, ୟୁଏସ୍‌ବି ଷ୍ଟିକ୍‌, ଏବଂ ବହୁ ବୈଦ୍ୟୁତିକ ସ୍ୱାସ୍ଥ୍ୟ ଉପକରଣ ସାମିଲ ରହିଛି। ସଂଯୁକ୍ତ ରାଷ୍ଟ୍ର ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ୟୁଏନ୍‌ଆଇଟିଏଆର୍‌) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଘରେ ବର୍ତ୍ତମାନ ଅଦୃଶ୍ୟ ଇ-ବର୍ଜ୍ୟର ମାତ୍ରା ବଢ଼ି ବଢ଼ି ଚାଲିଛି। ଯଦି ବିଶ୍ୱବ୍ୟାପୀ ଏହି ଅଦୃଶ୍ୟ ଇ- ବର୍ଜ୍ୟକୁ ଟ୍ରକ୍‌ରେ ବୋଝେଇ କରି ରଖାଯାଏ ତାହେଲେ ଏହା ପ୍ରାୟ ୫୬୪୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତହେବ ବୋଲି ୟୁଏନ୍‌ଆଇଟିଏଆର୍‌ ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷେ ଅଦୃଶ୍ୟ ଇ-ବର୍ଜ୍ୟ ଉତ୍ପନ୍ନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ସ୍ଥାନ ଏବଂ ଭୂମିକା ଖୁବ୍‌ ନୈରାଶ୍ୟଜନକ। ସଂଯୁକ୍ତ ରାଷ୍ଟ୍ରର ଗ୍ଲୋବାଲ ଇ-ବର୍ଜ୍ୟ ମନିଟର୍‌ ୨୦୨୦ ଅନୁସାରେ ଚୀନ ଏବଂ ଆମେରିକା ପରେ ଅଦୃଶ୍ୟ ଇ-ବର୍ଜ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ। ଏହି ଅଦୃଶ୍ୟ ଇ-ବର୍ଜ୍ୟର ଉପଯୁକ୍ତ ଭାବେ ପ୍ରକ୍ରିୟାକରଣ ହୋଇପାରୁ ନ ଥିବାରୁ ଏହା ବର୍ତ୍ତମାନ ପରିବେଶ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କଲାଣି।

ପଡ଼ିରହିଛି ୨୧ କୋଟି ଅଚଳ ଡିଭାଇସ୍‌

ବର୍ତ୍ତମାନ ସମୟରେ ଭାରତ ପାଇଁ ଇ-ବର୍ଜ୍ୟ ପୁନଃ ପ୍ରକ୍ରିୟାକରଣ କିମ୍ବା ଏହାର ସଫଳ ପରିଚାଳନା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଏନେଇ ଗତ ସେପ୍ଟେମ୍ବର ମାସରେ ଇଣ୍ଡିଆନ୍‌ ସେଲ୍ୟୁଲାର ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍‌ (ଆଇସିଏ) ଏବଂ ସର୍ବେକ୍ଷଣ ଏକ୍‌ଚେଞ୍ଜର ରିପୋର୍ଟ ଅନୁଯାୟୀ ଦେଶରେ ସ୍ମାର୍ଟଫୋନଠାରୁ ଆରମ୍ଭ କରି ଲାପ୍‌ଟପ୍‌ ପର୍ଯ୍ୟନ୍ତ ପ୍ରାୟ ୨୦.୬ କୋଟି ଅଚଳ ଡିଭାଇସ(ଉପକରଣ) ପଡ଼ିରହିଛି। ଏହାର ସଫଳ ପରିଚାଳନା କରା ନ ଗଲେ ଏହା ପରିବେଶ ପାଇଁ ଏକ ବଡ଼ ବିପଦର କାରଣ ସାଜିବ ନିଶ୍ଚିତ। ୨୦୨୧-୨୨ ମସିହା ଯାଏଁ ଏହି ରିପୋର୍ଟ ଥିବାବେଳେ ବର୍ତ୍ତମାନର ଏହି ସଂଖ୍ୟାରେ ଆହୁରି ଅଚଳ ଯନ୍ତ୍ରାଂଶ ଯୋଡ଼ି ହୋଇସାରିଥିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଏନେଇ ଗତ ୨୦୨୨ ମସିହାଠାରୁ ନିଜର ପ୍ରଚେଷ୍ଟା ଆରମ୍ଭ କରିଥିବା ଜଣାପଡ଼ିଛି। ବିଏମ୍‌ସି ପକ୍ଷରୁ ପ୍ରତ୍ୟେକ ସପ୍ତାହର ଶନିବାର ଡୋର-ଟୁ-ଡୋର୍‌ ଇ-ବର୍ଜ୍ୟ ସଂଗ୍ରହ କରାଯାଉଥିବା ବେଳେ ଏହାର ପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମୋଟ ୬.୪୪ ମେଟ୍ରିକ୍‌ ଟନ୍‌ ଇ-ବର୍ଜ୍ୟ ଟେଣ୍ଡର ମାଧ୍ୟମରେ ବିଏମ୍‌ସି ବିକ୍ରିକରି ସାରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥାମାନେ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରି ଇ-ବର୍ଜ୍ୟ ସଂଗ୍ରହ କ୍ରୟ କରିଛନ୍ତି। ଏଥିରୁ ମୋଟ ୧ ଲକ୍ଷ ୪୮ ହଜାର ୪୦୨ ଟଙ୍କାର ରାଜସ୍ୱ ବିଏମ୍‌ସି ସଂଗ୍ରହ କରିଛି। ସେହିପରି ଚଳିତ ବର୍ଷ ୧.୭ ମେଟ୍ରିକ ଟନ୍‌ ଇ-ବର୍ଜ୍ୟର ଟେଣ୍ଡର ପାଇଁ ପ୍ରକ୍ରିୟା ଜାରି ରହିଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି।