TT Ads
ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଏକ ଅଢେ଼ଇ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ନନ୍ଦନକାନନ ଥାନା ଅଞ୍ଚଳରୁ। ମାଆର ଅନୈତିକ ପ୍ରେମ ପାଇଁ ବଳି ପଡିଛି ଅଢେ଼ଇବର୍ଷ ବୟସର ଶିଶୁପୁତ୍ର
ଉଲ୍ଲେଖନୀୟ କଥା ହେଉଛି, ମାଆ ଆଗରେ ଶିଶୁପୁତ୍ରଟିକୁ ପ୍ରେମିକ ତଣ୍ଟିଚିପି ହତ୍ୟା କରିଥିଲେ ହେଁ ମହିଳା ଜଣକ ପ୍ରେମିକକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଜଣାପଡିଛି। କିନ୍ତୁ ସ୍ଥାନୀୟ ଲୋକେ ଧରିପକାଇବାରୁ ମହିଳା ଜଣକ ଖସିବାକୁ ନାଟକ କରିଛି।
ନନ୍ଦନକାନନ ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ଖୋଳତାଡ କରୁଛି। ଶିଶୁପୁତ୍ରକୁ ପ୍ରେମିକ ହିଁ ହତ୍ୟା କରିଛି ବୋଲି ସ୍ପଷ୍ଟ ହୋଇଛି ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଅଭିଯୁକ୍ତ ହେଉଛି ମୟୂରଭଞ୍ଜର ବବି ଦେହୁରି। ତଦନ୍ତରୁ ମହିଳାଙ୍କ ସମ୍ପୃକ୍ତି ପଦାକୁ ଆସିଲେ, ତାକୁ ମଧ୍ୟ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ସୋମବାର ବାରଙ୍ଗ ଥାନା ବେଲଗଛିଆ ନିକଟ କୁଆଖାଇ ନଦୀବନ୍ଧରେ ଏକ ଶ୍ରମିକ ଦମ୍ପତି ଚାଲିଚାଲି ଯାଉଥିଲେ। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିଲା। ମାଆ କାଖରେ କପଡାରେ ଗୁଡା ହୋଇଥିବା ଏକ ଶିଶୁ ଥିଲା। ହଠାତ୍‌ ମହିଳାଜଣକ କପଡାରେ ଗୁଡା ହୋଇଥିବା ଶିଶୁକୁ ଏକ ବୁଦା ଭିତରକୁ ଫିଙ୍ଗି ଦେଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ।
ବୁଦା ଭିତରୁ ଶିଶୁର ମୃତଦେହକୁ ବାହାର କରିବା ପରେ ମହିଳାଜଣକ ହଠାତ୍‌ କାନ୍ଦି ଉଠିଲେ ଏବଂ ସାଙ୍ଗରେ ଥିବା ପୁରୁଷଜଣକ ଶିଶୁପୁତ୍ରର ତଣ୍ଟି ଚିପି ମାରିଦେଇଛି ବୋଲି କହିଥିଲେ। ତୁରନ୍ତ ଲୋକେ ବାରଙ୍ଗ ଥାନାକୁ ଜଣାଇଥିଲେ।
ବାରଙ୍ଗ ପୁଲିସ ପହଞ୍ଚି ପଚରାଉଚରା କରିଥିଲା। ଜଣାପଡିଥିଲା ଯେ ମହିଳାଙ୍କ ନାମ ମାନ ସିଂ ଓ ପୁରୁଷଜଣକ ବବି ଦେହୁରି। ସେମାନେ ମୟୂରଭଞ୍ଜ ବାସିନ୍ଦା ଏବଂ ନନ୍ଦନକାନନ ଥାନା ଅଧୀନ ଶିଖରଚଣ୍ଡୀ ସାହିବସ୍ତିରେ ରହି ଜଣେ ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଛନ୍ତି। ମହିଳାଜଣକ ବିବାହିତ ଓ ଦୁଇଟି ସନ୍ତାନର ଜନନୀ। ବବି ହେଉଛି ମହିଳାଙ୍କ ପ୍ରେମିକ। କିନ୍ତୁ ସେମାନେ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ଏକାଠି ରହୁଥିଲେ। ବାରଙ୍ଗ ଥାନା ପୁଲିସଠାରୁ ସୂଚନା ପାଇ ନନ୍ଦନକାନନ ଥାନା ପୁଲିସ ପହଞ୍ଚିଥିଲା ଏବଂ ଶିଶୁର ମୃତଦେହ ଜବତ କରିବା ସହ ବବି ଓ ମାନକୁ ଥାନାକୁ ନେଇଥିଲା।
ଗତକାଲି ରାତିରେ କୌଣସି କଥାକୁ ନେଇ ବବି ରାଗରେ ଶିଶୁପୁତ୍ରର ତଣ୍ଟି ଚିପି ଦେଇଥିଲା। ପିଲାଟି ମରିଯିବା ପରେ ଦୁହିଁଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ ସେମାନେ ଉପାୟ ଚିନ୍ତା କରିଥିଲେ ଏବଂ ନଦୀ ବନ୍ଧରେ ବଣ ଭିତରେ ଫୋପାଡିବାକୁ ସକାଳୁ ସକାଳୁ ବାହାରିଥିଲେ।
TT Ads

Leave a Reply

Your email address will not be published. Required fields are marked *