ମହୁ ଖାଇବାକୁ ଗଛରେ ଚଢ଼ିଥିବ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ପଡିଯିବାରୁ ଭାଲୁର ମୃତ୍ୟୁ ଘଟିଛି। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରରୁ ବାହାର କରିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ, ଗତକାଲି ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ବିଟ୍ ତଇଲା ସାହିକୁ ଆସିଥିଲା। ଗ୍ରାମର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢ଼ିଥିବା ବେଳେ କୌଣସି କାରଣବଶତଃ ଖସିପଡ଼ି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡ଼ିଥିଲା। ଫଳରେ ଭାଲୁର ପେଟରେ ବିଦ୍ୟୁତ ଆଘାତ ଦ୍ବାରା ବିରାଟ କ୍ଷତ ସୃଷ୍ଟି ହେବା ସହ ଭାଲୁଟି ମୃତ୍ୟୁବରଣ କରିଛି। ବନ ବିଭାଗ କର୍ମଚାରୀମାନେ ଭାଲୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଏନେଇ ଅବଗତ କରିଥିଲେ। ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସଫର୍ମରରରୁ ବାହାରକୁ କାଢ଼ିଥିବା ବେଳେ ବନ ବିଭାଗକୁ ହସ୍ତାନ୍ତର କରିଛି। ଭାଲୁଟି ପୁରୁଷ କି ମାଈ ଓ ଏହାର ବୟସ କେତେ ଏବଂ ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତ ନା ଆଉ କିଛି, ସେ ଦିଗରେ ବନବିଭାଗ ତଦନ୍ତ ଆରମ୍ଭ କରିଛି।



