ନବେ ଦଶକରେ କୋରାପୁଟର ଦୁଇ ଯାଆଁଳା ଭାଇ ଗାଇଥିଲେ ଭାଇ.. ମଦ ପିଇବି ନାହିଁ। ସେତେବେଳେ ଦୂରଦର୍ଶନରେ ପ୍ରସାରିତ ସେହି ଗୀତଟି ଯେତିକି ମଧୁର ଓ ମନୋରମ ଥିଲା ତା ଠାରୁ ଅଧିକ ଥିଲା ଗୀତରେ ଥିବା ସାମାଜିକ ବାର୍ତ୍ତା । ଏବେ ପୁଣି ଭାଇରାଲ୍ ହେଉଥିବା ଛି ଛି ଛି… ଗୀତ। ଯାହା ମୁଖୁଡ଼ାରେ ରହିଛି ଛି ଛି ଛି ରେ ନନୀ ଛି ଛି ଛି..।
୨୦୨୫ ମସିହା ଆରମ୍ଭରୁ ଫୁଲ ଦମରେ ଭାଇରାଲ ହୋଇଛି ଏହି ଗୀତ। ମାତ୍ର କିଛି ଦିନ ମଧ୍ୟରେ ଏହି ଗୀତ ପ୍ରାୟ ୫୦ ଲକ୍ଷ ଲୋକ ଶୁଣି ସାରିଲେଣି। ତେବେ କାହିଁକି ଭାଇରାଲ ହେଉଛି ଏହି ଗୀତ? ଆପଣ ଜାଣନ୍ତି କି ? ଏହା ଭାଇରାଲ ହେବା ପଛରେ ମୁଖ୍ୟ କାରଣ ହେଉଛି ଆଜିର ଦିନରେ ପ୍ରେମ ସମ୍ପର୍କ ଓ ବିଚ୍ଛେଦକୁ ନେଇ ଯୁବଗୋଷ୍ଠୀ ଅଧିକ ଭାବ ପ୍ରବଣ ହୋଇଛନ୍ତି। ଏହା ଛଡ଼ା ଲୋକେ ଏବେ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ଦେଉଛନ୍ତି।

ତେବେ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯେ ଏହି ଗୀତଟି ୨୪ ବର୍ଷ ତଳେ ଦାମନଯୋଡିର ଜଣେ ଆଡଭୋକେଟ ଗାଇଥିଲେ। ନାଁ ତାଙ୍କର ସତ୍ୟ ଅଧିକାରୀ। କିନ୍ତୁ ସେ ଗାଇବାର ଦୀର୍ଘ ୧୫ ବର୍ଷ ପରେ ଏକ ଘରୋଇ ଟିଭି ଚ୍ୟାନେଲ ଏହା ରେକର୍ଡିଂ କରି ବଜାରକୁ ଛାଡିଥିଲେ ମଧ୍ୟ ଆଶାଜନକ ସଫଳତା ପାଇ ନ ଥିଲା। ଏହା ଏବେ ଭାଇରାଲ ହେବା ପରେ ବେଶ୍ ଚର୍ଚ୍ଚାକୁ ଆସିଛି।



