ଜଣେ ଏକ ମଧ୍ୟବୟସ୍କା ସ୍ତ୍ରୀ ଲୋକ ସକାଳେ ଉଠି ଦେଖିଲା, ତା’ ଘର ସାମ୍ନାରେ ତିନିଜଣ ସୁନ୍ଦର ଯୁବକ ବସିଛନ୍ତି । ସେ ସେମାନଙ୍କ ପାଖକୁ ଯାଇ କହିଲା: ଆପଣମାନେ କିଏ? ଘର ଭିତରକୁ ଆସନ୍ତୁ । ସେମାନଙ୍କ ମଧ୍ୟରୁ ଜଣେ କହିଲା : ଆମ ନାଁ ସମ୍ପଦ, ସଫଳ ଆଉ ପ୍ରେମ । ଆମେ ତିନିଜଣ ବନ୍ଧୁ ସତ; ହେଲେ ଏକସଙ୍ଗରେ କାହା ଘରକୁ ଯାଉନା । ଆମ ଭିତରୁ ତୁମେ କାହାକୁ ନେବ ତାହା ତୁମେ ସ୍ଥିର କର । ମହିଳାଜଣକ ଘରକୁ ଯାଇ ଆଲୋଚନା କଲେ । କିଏ କହିଲା- ଆମେ ସମ୍ପଦକୁ ଡାକିଆଣିବା । ଆମ ଘରେ ଧନ ସମ୍ପତ୍ତି ପୂରିଯିବ । କିଏ କହିଲା- ଆମେ ସଫଳକୁ ଡାକି ଜୀବନରେ କେବଳ ସଫଳ ହେବା । କିଏ କହିଲା- ପ୍ରେମକୁ ଡାକ । ଜୀବନରେ ପ୍ରେମ ବଡ଼ ଜରୁରି । ମହିଳା କହିଲେ: ମୋର ତିନିଜଣ ଦରକାର । ଜଣେ ନୁହେଁ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କହିଲେ: କେମିତି ଏକଥା ହେବ । ସେମାନେ ତ ତିନିଜଣ ଆସିବାକୁ ଚାହୁଁ ନାହାନ୍ତି । ମହିଳା କିଛି ସମୟ ଚୁପ୍ ରହିଲେ । ଶେଷରେ ବାହାରକୁ ଆସି କହିଲେ : ଯାହାର ନାଁ ପ୍ରେମ ମୁଁ ତାଙ୍କୁ ମୋ ଘରକୁ ଆମନ୍ତ୍ରଣ କରୁଛି । ମହିଳାଙ୍କ ସହ ପ୍ରେମ ତାଙ୍କ ଘରକୁ ଆସିଲେ । ଏହା ଦେଖି ମହିଳାଙ୍କ ପରିବାରର ଲୋକମାନେ ତାଙ୍କୁ ଗାଳି ଦେବାକୁ ଚାହିଁଲେ ବି ଗାଳି କରିପାରିଲେନି । କାରଣ ଘରକୁ ପ୍ରେମ ଆସିସାରିଥିଲା । ସମସ୍ତଙ୍କ ଭିତରେ ପ୍ରେମ ଭରି ଯାଇଥିଲା । ଦିନେ ଦେଖାଗଲା, ଘର ଭିତରକୁ ଉଭୟ ସମ୍ପଦ ଓ ସଫଳ ମଧ୍ୟ ଆସି ସାରିଛନ୍ତି । ମହିଳାଜଣକ ତାଙ୍କ ପରିବାରକୁ ଡାକି କହିଲେ: ଯେଉଁଠି ପ୍ରେମ ସେଇଠି ସମ୍ପତ୍ତି ଆଉ ସେଇଠି ସଫଳତା । ମୁଁ କ’ଣ ଘରକୁ ପ୍ରେମକୁ ଡାକି ଭୁଲ କରିଥିଲି!
-ରାଜେନ୍ଦ୍ର



