ନୂଆଦିଲ୍ଲୀ, ୯/୧: ଆମେରିକାର ଲସ୍ ଏଞ୍ଜଲିସ୍ରେ ଭୟାବହ ଅଗ୍ନିକାଣ୍ଡ। କାଲିଫର୍ଣ୍ଣିଆ ଜଙ୍ଗଲରୁ ଲାଗିଥିବା ନିଆଁ ବ୍ୟାପି ଶତାଧିକ ଘର ଭସ୍ମ କରିସାରିଲାଣି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ୍ ଅନୁଯାୟୀ ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସାନ୍ତା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ପୋଡ଼ି ଯାଇଥିବା ଜଣା ପଡିଛି। ୫ ହଜାର ଏକରରୁ ଅଧିକ ଅଞ୍ଚଳକୁ ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି। ଅନେକ ଏବେବି ନିଆଁ ଘେରରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି।
ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଦେଢ଼ ହଜାର ଘର ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି।


