ନୂଆବର୍ଷରେ ବ୍ୟାରିକେଡ଼ ଭାଙ୍ଗିଲେ ଭକ୍ତ
ପୁରୀ, ୧/୧(ଓଡ଼ିଶା ଜାଗରଣ):
୨୦୨୫ ନୂଆବର୍ଷର ପ୍ରଥମ ଦିନରେ ଦେବ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଆଗ୍ରହ। ଏଥିପାଇଁ ଶ୍ରୀମନ୍ଦିରରେ ବୁଧବାର ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଓଡ଼ିଶା ସମେତ ଓଡ଼ିଶା ବାହାରୁ ଲକ୍ଷାଧିକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସରକାର ଓ ପ୍ରଶାସନ ପକ୍ଷରୁ ଆଶାଜନକ ବ୍ୟବସ୍ଥା କରାଯାଇ ନ ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଏଥିନିମନ୍ତେ ରାତି ସାଢ଼େ ଦଶଟାରୁ ଧାଡ଼ିରେ ଛିଡ଼ା ହୋଇଥିବା ଭକ୍ତ ଅପେକ୍ଷା କରି କରି ଧର୍ଯ୍ୟହରା ହୋଇ ପଡ଼ିଥିଲେ। ଶେଷରେ ସକାଳେ ଗଳାବାଟ ଦେଇ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହାକୁ ଦେଖି ବ୍ୟାରିକେଡ଼ରେ ଥିବା ବ୍ୟକ୍ତି ଓ ଶ୍ରଦ୍ଧାଳୁ ବ୍ୟାରିକେଡ଼ ଭାଙ୍ଗି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
ପ୍ରକାଶ ଥାଉ କି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ମଙ୍ଗଳବାର ରାତି ସାଢ଼େ ୧୨ ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଆରମ୍ଭ ହୋଇଥିଲା। ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାସତ୍ତ୍ୱେ ଭିଡ଼ ଅସମ୍ଭାଳ ହେବାରୁ ଲୋକେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ଭିଡ଼ ଦେଖି ପୁଲିସ୍ ପ୍ରାୟ ନିରୂପାୟ ହୋଇ ଯାଇଥିଲା। ଫଳରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଯାଇଥିଲେ। ଏସ୍ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି।
ଅପରପକ୍ଷେ ନୂଆବର୍ଷରେ ଅସମ୍ଭାଳ ଭିଡ଼କୁ ଲକ୍ଷ୍ୟ କରି ପୁରୀରେ ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି। ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବାରୁ ପୁଲିସ୍ ମୁତୟନକୁ ଆହୁରି କଡ଼ାକଡ଼ି କରାଯାଇଛି।



