ଡିସେମ୍ବର ଦ୍ଵିତୀୟାର୍ଦ୍ଧରେ ଗ୍ରହ ସମାବେଶ
ଭୁବନେଶ୍ୱର, (ଓଡ଼ିଶା ଜାଗରଣ) ୨୦୨୪ ମସିହା, ଡିସେମ୍ବରର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ ୨୦୨୫ର ପ୍ରଥମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଉତ୍କୃଷ୍ଟ ସୁଯୋଗ ଆସିବ।
ଆମେ ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ ଏହାକୁ ଏକ ‘ପ୍ଲାନେଟ୍ ପରେଡ’ କୁହାଯାଏ। ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି, ଯାହା ଏକ ବିରଳ ମହାକାଶୀୟ ଘଟଣାକୁ ସୂଚାଇଥାଏ। ଆମେ ଜାଣିଛେ ଯେ ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଛନ୍ତି । ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ।
ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛ ଉପରକୁ ଥିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟର କିଛି ଉପରେ ଥିବ ଉଜ୍ବଳ ବୃହଷ୍ପତି ଗ୍ରହ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ। ସେହି କ୍ରମରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ। ସାଧାରଣତଃ ବୁଧ ଗ୍ରହ, ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ଡିସେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ୍ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ

ଏହା ଛଡା ୟୁରାନସ୍ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖି ହେବ।
ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ମାନେ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶୀୟ ଉତ୍ସବ ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହେଲେଣି। ଏଭଳି ଏକ ଉତ୍କୃଷ୍ଟ ସୁଯୋଗ ହାତଛଡା ନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ୍ ପୂର୍ବତନ ନିର୍ଦ୍ଦେଶକ ଡ: ଶୁଭେନ୍ଦୁ ପଟ୍ଟନାୟକ।


