ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ବାଂଲାଦେଶର ମନ୍ତବ୍ୟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଶୁକ୍ରବାର ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ପଡ଼ୋଶୀ ଦେଶକୁ ତାଗିଦ କରିଛି ଯେ ସେ ନିଜ ସୀମା ମଧ୍ୟରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ସମାଧାନ କରିବା ଉଚିତ୍।
ପଶ୍ଚିମବଙ୍ଗର ଘଟଣା ସମ୍ପର୍କରେ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଏହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ନିର୍ଯାତନା ଉପରେ ଭାରତର ଚିନ୍ତା ସହିତ ସମାନତା ଆଣିବାର ଏକ ପ୍ରତାରଣାପୂର୍ଣ୍ଣ ଏବଂ କପଟପୂର୍ଣ୍ଣ ପ୍ରୟାସ, ଯେଉଁଠାରେ ଏପରି କାର୍ଯ୍ୟର ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି,MEA ଏକ ବିବୃତ୍ତିରେ ଏହା କହିଛି।
ଅଯଥା ମନ୍ତବ୍ୟ ଦେବା ପରିବର୍ତ୍ତେ ବାଂଲାଦେଶ ନିଜ ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବା ଉପରେ ଧ୍ୟାନ ଦେବା ଭଲ ହେବ ବୋଲି କହିଛି ଭାରତ।
ବାଂଲାଦେଶର ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ଶଫିକୁଲ୍ ଆଲାମ୍ ଭାରତକୁ ଏହାର ମୁସଲିମ୍ ସଂଖ୍ୟାଲଘୁ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଆହ୍ୱାନ କରିବା ପରେ ଭାରତର ପ୍ରତିକ୍ରିୟା ଆସିଛି। ସ୍ଥାନୀୟ ଗଣମାଧ୍ୟମକୁ ଏକ ବିବୃତ୍ତି ମାଧ୍ୟମରେ ଆଲାମ୍ ମୁର୍ଶିଦାବାଦ ହିଂସାରେ କୌଣସି ବାଂଲାଦେଶୀ ସମ୍ପୃକ୍ତିକୁ ମଧ୍ୟ ଅସ୍ୱୀକାର କରିଥିଲେ।


