ପୁଣି ଥରେ ଟାଇଁ ଟାଇଁ ଖରାରେ ଲାଗିବ ବ୍ରେକ୍। ଆସନ୍ତାକାଲିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଏପ୍ରିଲ୍ ଦୁଇ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୫ ଦିନ ପର୍ଯ୍ୟନ୍ତ ସାରା ଦିନ ଖରା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ମଙ୍ଗଳବାର ସୁଦ୍ଧା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୩୦ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗୀର ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ। ଏହି ଜିଲ୍ଲା ଗୁଡିକରେ ଘଣ୍ଟାପିଛା ପବନର ବେଗ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨ ତାରିଖରୁ ହାଲୁକାରୁ ମାଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ୨ ତାରିଖରେ ବିଜୁଳି ଘଡଘଡି ବର୍ଷକୁ ନେଇ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, ଅନୁଗୁଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେଓଗଦା ଓ ସୁନ୍ଦରଗଡ଼ ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ। ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ ପୁଣି ପୂର୍ବ ପାଗକୁ ପରିବର୍ତ୍ତନ ହେବ।
ସୋମବାର ଝାରସୁଗୁଡ଼ା ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରଯାଇଥିବା ବେଳେ, ସମ୍ବଲପୁର ତାପମାତ୍ରା ୪୦.୬, ରାଉରକେଲା ତାପମାତ୍ରା ୩୮.୮ ଓ ଭୁବନେଶ୍ୱର ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।



