ଏଣିକି ଆପଣ ଗାଡ଼ି କିଣିଲେ ମାଗଣାରେ ମିଳିବ ଦୁଇଟି ହେଲ୍ମେଟ୍। ତାହା ପୁଣି କୌଣସି ନିମ୍ନମାନର ନୁହେଁ ବରଂ ଆଇଏସ୍ଆଇ ବ୍ରାଣ୍ଡ୍ର ହେଲ୍ମେଟ୍। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏ ନେଇ ସମସ୍ତ ଯାନବାହାନ ବିକ୍ରେତାଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘ ଦୀର୍ଘ ଦିନ ଧରି ଆଇଏସଆଇ ପ୍ରମାଣିତ ହେଲମେଟ୍ ବାଧ୍ୟତାମୂଳକ କରାଯାଉ ବୋଲି ଦାବି କରିଆସୁଥିଲେ। ଏଭଳି ସମୟରେ ଗଡ଼କରୀଙ୍କ ଏହି ଘୋଷଣାକୁ ଭାରତୀୟ ଦୁଇ ଚକିଆ ହେଲମେଟ ନିର୍ମାତା ସଂଘର ପୂର୍ଣ୍ଣ ସମର୍ଥନ ମିଳିଛି।
ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ପ୍ରତିବର୍ଷ ଦେଶରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ଏକ ଲକ୍ଷ ୮୮ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରୁ ୬୬ ପ୍ରତିଶତଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ।
ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ୬୯ ହଜାରରୁ ଅଧିକ ଦୁଇଚକିଆ ଯାନ ଚାଳକଙ୍କ ମୃତ୍ୟୁ ହୋଇଥାଏ। ଏଥିମଧ୍ୟରୁ ୫୦ ପ୍ରତିଶତ ଚାଳକଙ୍କ ମୃତ୍ୟୁ ହେଲ୍ମେଟ ପିନ୍ଧି ନ ଥିବାରୁ ହୋଇଥାଏ।
ଏହାଦ୍ୱାରା ଗୁଣାତ୍ମକ ଆଇଏସଆଇ ହେଲମେଟର ଉତ୍ପାଦନ ବୃଦ୍ଧି କରାଯିବା ସହିତ ସାରା ଦେଶରେ ଏହାର ଉପଲବ୍ଧତା ସୁନିଶ୍ଚିତ ହେବ। ଗଡ଼କରୀଙ୍କ ପଦକ୍ଷେପକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ କହିଲେ ଭୁଲ ହେବନାହିଁ।



