ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ନେଇଗଲେ ୫୦ ଲକ୍ଷ ଟଙ୍କାର ସୁନଗହଣା।
ପୂର୍ବତନ ମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ଅଭିଯୋଗର ତଦନ୍ତ କରୁଛି। ଖବର ନେବାରୁ ଜଣାପଡ଼ିଛି ଯେ ନୟାପଲ୍ଲୀସ୍ଥିତ ଭିଆଇପି ଅଞ୍ଚଳରେ ରହୁଥିବା ନିରଞ୍ଜନଙ୍କ ଘରେ ରାତି ୨ ଟା ୩୦ ମିନିଟ ବେଳକୁ ଡକାୟତମାନେ ପଶିଥିଲେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଡକାୟତମାନେ ଘର ଭିତରେ ଅପରେସନ କରିଥିଲେ। ଘରେ ଥିବା ଆଲମିରା ତାଡି ସମସ୍ତ ସୁନା ଗହଣା ସମେତ ଟଙ୍କା ନେଇ ଯାଇଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ରାତି ତିନିଟା ୪୦ ମିନିଟ ବେଳକୁ ଘରୁ ବାହାରି ଯାଇଥିଲେ। ଝରକା ତାଡି ଘରୁ ବାହାରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରାମାନେ ଏହି କାଣ୍ଡ ଭିଆସିଛନ୍ତି।


