TT Ads

ରାଉରକେଲା, ୨୮/୧୨ (ଓଡ଼ିଶା ଜାଗରଣ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌। ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ HIL । ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯିବ। ପ୍ରତିଯୋଗିତା ପାଇଁ ସମସ୍ତ ୮ଟି ଦଳ ରାଉରକେଲାରେ ପହଞ୍ଚିସାରିଛନ୍ତି  । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ । ଡିସେମ୍ବର ୨୮ ରୁ ଜାନୁୟାରୀ ୧୮ ଓ ଜାନୁଆରୀ ୧୯ ତାରିଖରୁ ଫେବୃଆରୀ ୧ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ । ଦୁଇଟି ପୁଲରେ ୮ ଟି ଟିମ୍ ରଖାଯାଇଥିବା ବେଳେ ରାଉଣ୍ଡ-ରବିନ ଫର୍ମାଟରେ ହକି ଇଣ୍ଡିଆ ଲିଗ୍ ମ୍ୟାଚ ଆୟୋଜିତ ହେବ ।

ସାତ ବର୍ଷର ବ୍ୟବଧାନପରେ ଫେରୁଥିବା ଏହି ଲିଗ୍‌, ପୂର୍ବାପେକ୍ଷା ଅଧିକ ଦମ୍‌ଦାର ଓ ଆକର୍ଷଣୀୟ ହେବ। ଏନେଇ ଆୟୋଜକ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି। ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିବାରୁ, ଏହାକୁ ନେଇ ହକିପ୍ରେମୀ ମହଲରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି।
ଏଥର କେବଳ ପୁରୁଷ ନୁହେଁ, ବରଂ ପ୍ରଥମଥର ପାଇଁ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ।
ସୂଚନା ଅନୁସାରେ, ଆଜି ଉଦଘାଟନୀ ଦିନରେ ବଲିଉଡ୍‌ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବାର ଥିଲା  । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ତେବେ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ ଏକାଧିକ ଚ୍ୟାନେଲ୍‌ ଓ ଭାଷାରେ ସିଧାପ୍ରସାରଣ ହେବ। ଦୂରଦର୍ଶନ ଡିଡି ସ୍ପୋର୍ଟସ୍ ସମେତ ସୋନି ସ୍ପୋର୍ଟସ୍ ନେଟୱାର୍କ-ସୋନି ଟେନ୍ ୧, ୩, ୪, ଓଡିଟି ପ୍ଲାଟ୍‌ଫର୍ମ, ଯଥା-ସୋନୀ ଲିଗ୍‌ ଓ ପ୍ରସାର ଭାରତୀର ୱେଭ୍‌ସରେ ସିଧାପ୍ରସାରଣ ହେବ ।
TT Ads

Leave a Reply

Your email address will not be published. Required fields are marked *