ପତ୍ନୀଙ୍କୁ ଆତ୍ମହତ୍ୟା ପାଇର୍ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବୈଜ୍ଞାନିକଙ୍କୁ ଜେଲ୍ ନୁହେଁ, ଗବେଷଣାକ କରିବା ପାଇଁ ନିର୍ଦ୍ଦେଶ ଦେଇଛନତି ଉତ୍ତରାଖଣ୍ଡ ହାଇକୋର୍ଟ।
ଅଦାଲତଙ୍କ ପକ୍ଷରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷର ଜେଲ୍ଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଖଡ଼ଗପୁରରୁ ପିଏଚ୍ଡି କରିଥିବା ଆକାଶ ଯାଦବଙ୍କୁ ବିଚାରପତି ରବୀନ୍ଦ୍ର ମୈଥାନିଙ୍କ ଏକକ ଖଣ୍ଡପୀଠ କହିଛନ୍ତି ଯେ ବୃହତ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବୈଜ୍ଞାନିକଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ ରଖାଯାଇଛି।
ଅଦାଲତଙ୍କ କହିବାନୁଯାୟୀ ବୈଜ୍ଞାନିକ ଆକାଶ ଯାଦବ ଟିକାର ଗବେଷଣା ଏବଂ ବିକାଶରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ ହେବା ଯୋଗୁଁ ତାଙ୍କର କାମ ବନ୍ଦ ହୋଇଯାଇଛି। ତାଙ୍କ ଗବେଷଣା ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି।
ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଆକାଶ ଯାଦବଙ୍କୁ ଯୌତୁକ ନିରୋଧ ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଥିଲା। ଉଧମ ସିଂହ ନଗର ଜିଲ୍ଲାର ରୁଦ୍ରପୁରର ଏକ କୋର୍ଟ ତାଙ୍କୁ ଯୌତୁକ ଅଭିଯୋଗରୁ ମୁକ୍ତ କରିଥିଲେ। କିନ୍ତୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତି ବିରୁଦ୍ଧରେ ଆକାଶ ଯାଦବ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ପୂର୍ବରୁ, କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କ ଆବେଦନ ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ମଧ୍ୟ ରଖିଥିଲେ। ଯାଦବ ମଧ୍ୟ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ତାଙ୍କ ପାଇଁ ଟିକା ବିକାଶର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ଆବଶ୍ୟକ ବୋଲି ଅଦାଲତ ଉଲ୍ଳେଖ କରିଛନ୍ତି।
କୋର୍ଟ କହିଛନ୍ତି ଯେ ଆବେଦନର ଚୂଡ଼ାନ୍ତ ଶୁଣାଣି ନ ହେବା ପର୍ଯ୍ୟନ୍ତ ଦଣ୍ଡାଦେଶ କାର୍ଯ୍ୟକାରୀ ସ୍ଥଗିତ ରହିବ। ଆକାଶ ଯାଦବ ବାୟୋଟେକ୍ନୋଲୋଜିରେ ପିଏଚଡି ଏବଂ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ଗତ ତିନିବର୍ଷ ଧରି, ସେ ପ୍ରମୁଖ ଟିକା ନିର୍ମାତା ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଏବେ ଜନସ୍ୱାସ୍ଥ୍ୟ ଏବଂ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ଟିକା ଗବେଷଣା ଏବଂ ବିକାଶରେ ସିଧାସଳଖ ଜଡିତ ଅଛନ୍ତି।


