ଚୀନ୍‌ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି। ଆମେରିକାର ଗୁଇନ୍ଦା ସଂସ୍ଥାର ନୂତନ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାର ବାର୍ଷିକ ରିପୋର୍ଟରେ ଚୀନ୍‌ ବିଷୟରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌  ଆମେରିକୀୟ ସେନା ସମେତ ଆମେରିକାର ସାଇବର ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ ପାଲଟିଛି। ଏହି ରିପୋର୍ଟରେ ଲସ୍କର-ଏ-ତୋଏବାକୁ ଭାରତ ଏବଂ ଆମେରିକା ପାଇଁ ବିପଦ ବୋଲି କୁହାଯାଇଛି।
ଏହା ମଧ୍ୟ କୁହାଯାଇଛି, ଏହି ରିପୋର୍ଟରେ, ଆଶଙ୍କା କରାଯାଇଛି, ବେଜିଂ ତାଇୱାନକୁ କବଜା କରିବା ପାଇଁ ଚୀନ ନିରନ୍ତର ନିଜର ଶକ୍ତି ବୃଦ୍ଧି କରୁଛି। ଚୀନ୍‌ ପାଖରେ ଏବେ ଏତେ ଶକ୍ତି ଅଛି ଯେ, ସେ ଯେକୌଣସି ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରିବ। ଚୀନ୍‌ ଯେକୌଣସି ସମୟରେ ଆମେରିକା ଉପରେ ସାଇବର ଆକ୍ରମଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଚୀନ୍‌ ଏବେ ଆମେରିକାର ଭିତ୍ତିଭୂମି ଏବଂ ଏହାର ମହାକାଶ କ୍ଷମତା ଉପରେ ଆକ୍ରମଣ କରିବାର ଶକ୍ତି ରଖିଛି।
ଆମେରିକାର ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ଚୀନ୍‌ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଫଳରେ ୨୦୩୦ ସୁଦ୍ଧା ଆମେରିକାକୁ ଶୀର୍ଷ ଏଆଇ ଶକ୍ତିଶାଳୀ ଦେଶ ତାଲିକାରୁ ହଟାଇବାକୁ ସକ୍ଷମ ହେବ ଚୀନ। ମଙ୍ଗଳବାର ପ୍ରକାଶିତ ବିପଦ ମୂଲ୍ୟାଙ୍କନରେ କୁହାଯାଇଛି ଯେ, ରୁଷିଆ, ଇରାନ, ଉତ୍ତର କୋରିଆ ଏବଂ ଚୀନ୍‌ ଫାଇଦା ହାସଲ କରିବା ପାଇଁ ଆମେରିକାକୁ ଚ୍ୟାଲେଞ୍ଜ କରିବା ପାଇଁ ଜାଣିଶୁଣି ଅଭିଯାନ ଚଳାଇଛନ୍ତି।