- ନୂଆଦିଲ୍ଲୀ, ୨୭/୧୨: ଅର୍ଥନୀତି ଉଦାରିକରଣର ଭୀଷ୍ମ ପିତାମହ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ଆଉ ନାହାଁନ୍ତି। ଗୁରୁବାର ରାତି ୯ ଟା ୫୨ ମିନିଟରେ ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇ ଥିଲା। ବାୟସାଧିକ କାରଣରୁ ଶୁକ୍ରବାର ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲ ପରିସରରେ ତାଙ୍କର ପରଲୋକ ହୋଇଛି। ସେ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ। ପଞ୍ଜାବରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ କେମ୍ରିଜ୍ ବିଶ୍ଵବିଦ୍ୟାଳୟରୁ ୧୯୬୨ ମସିହାରେ ପିଏଚଡି ଲାଭ କରିବା ପରେ ଜଣେ ଅର୍ଥନୀତିର ପ୍ରଫେସର ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ବାଣିଜ୍ୟ ମନ୍ତ୍ରାଳୟର ପରାମର୍ଶଦାତା ଭାବେ କାମ କରିଥିଲେ। ୧୯୮୨ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ୧୯୮୫ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଯୋଜନା ବୋର୍ଡର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ୧୯୯୧ ମସିହାରେ ପିଭି ନରସିଂହରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇ ପ୍ରଥମ ପର୍ଯ୍ୟିରେ ୫ କାର୍ଯ୍ୟ ତୁଲାଇ ଥିଲେ। ପରେ ପୁନର୍ବାର ୨୦୦୯ ମସିହାରେ ୟୁପିଏ ସରକାରରେ ଦ୍ଵିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।


