ରାଜଧାନୀ ରାସ୍ତା କଡ଼ରେ ଆପଣ ଗାଡ଼ି ରଖି କେଉଁଠି ଯାଇଛନ୍ତି କି ? ତାହେଲେ ହଇରାଣ ହେବା ଟା ଥାଏ। ଏମିତି କି ନାକରେ କାନ୍ଦିବାକୁ ପଡିପାରେ।
ରବିବାର ଭୁବନେଶ୍ୱର ସିଆରପି ଛକରେ ଛୋଟ ପିଲା ସହ ଗୋଟିଏ ପରିବାର ଫାଷ୍ଟ ଫୁଡ୍ ଖାଉଥିବା ବେଳେ ତାଙ୍କ ଗାଡ଼ିକୁ ଟୋ’ କରିଥିଲା ଟ୍ରାଫିକ ପୁଲିସ। ଗାଡ଼ି ଟାଣିନେବା ବେଳକୁ ଛୋଟ ପିଲାକୁ ଧରି ଅଧା ଖାଇବାରୁ ଉଠି ଆସିଥିଲେ ପରିବାର। କିନ୍ତୁ ସେତେବେଳକୁ ଗାଡ଼ି ଟାଣି ନେଇଥିଲା ପୁଲିସ। ରାତି ପ୍ରାୟ ୯ ଟା ବେଳକୁ ବଡ ସମସ୍ୟାରେ ପଡ଼ି ଯାଇଥିଲେ ପରିବାର ଲୋକେ। ଏମିତିକି ଗାଡ଼ିରେ ତାଙ୍କ ମୋବାଇଲ୍ ରହି ଯାଇଥିବାରୁ କାହାକୁ ଯୋଗାଯୋଗ ବି କରିପାରି ନ ଥିଲେ। ଦୀର୍ଘ ସମୟ ହଇରାଣ ହେବା ପରେ ଅନ୍ୟଏକ ଅଟୋ କରି ଘରକୁ ଫେରିଥିଲେ।
ଜଣାପଡିଲା ତାହା ଅତ୍ୟନ୍ତ ସାଙ୍ଘାତିକ କଥା। ଟୋଇ ଦାୟିତ୍ବ ନେଇଥିବା ସଂସ୍ଥା ନିଜସ୍ଵ ଏଜେନ୍ସି ଲଗାଇ ଟ୍ରାଫିକ ପୁଲିସକୁ ଖବର ଦେଇଥିଲା। କେବଳ ଗୋଟିଏ ନୁହେଁ ଟୋଇ ଦାୟିତ୍ୱରେ ଥିବା ସଂସ୍ଥା ଦଲାଲକୁ ନିଯୁକ୍ତି ଦେଇ ଏଭଳି କରୁଥିବା କୁହା ଯାଉଛି। ଗୋଟିଏ ପକ୍ଷରେ ରାସ୍ତା କଡ଼ରେ ଫାଷ୍ଟଫୁଡ ଦୋକାନ ଖୋଲିବା ପାଇଁ ବିଏମସି ଅନୁମତି ଦେଉଥିବା ବେଳେ ଟ୍ରାଫିକ ପୁଲିସ ଓ ଟୋଇ ସଂସ୍ଥା ସେଠାରେ ଯନ୍ତା ପକାଇ ଜରିମାନା ଆଦାୟ କରୁଥିବା ଅଭିଯୋଗ ହେଉଛି।