ପ୍ରୟାଗରା-ମିର୍ଜାପୁର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟି କୁମ୍ଭମେଳାକୁ ଯାଉଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ୧୯ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି
ଖବର ନେବାରୁ ଜଣାପଡ଼ିଛି ଯେ ଛତିଶଗଡ଼ର କୋର୍ବା ଜିଲ୍ଲାରୁ ଏକ ବୋଲେରୋରେ ୧୦ ଜଣ ଶ୍ରଦ୍ଧାଳୁମାନେ କୁମ୍ଭମେଳାକୁ ଆସିବା ବେଳେ ବିପରୀତ ଦିଗରୁ ଆସୁଥିବା ବସ୍ ସହ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋରେ ଥିବା ୧୦ ଜଣ ଯାତ୍ରୀଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବସଟି ମଧ୍ୟପ୍ରଦେଶର ରାଜଘର ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କୁ ନେଇ କୁମ୍ଭମେଳା ଯାଇଥିଲା। ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଗୁରୁତର ୧୯ ଯାତ୍ରୀଙ୍କୁ ରାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜୁଛି।